ଅଞ୍ଜନାଙ୍କଠାରୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର କରିଥିଲା। ମାମଲାର ତଦନ୍ତ ଭାର ନେଇଥିବା ସିବିଆଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଛି। ବିବନଙ୍କ ବିରୋଧରେ ଦୃଢ଼ ତଥ୍ୟ ଯୋଗାଡ କରିବାରେ ଲାଗି ପଡ଼ିଛି। ଶୁକ୍ରବାର ସିବିଆଇର ୨ଜଣିଆ ଟିମ୍‌ ପୀଡିତା ଅଞ୍ଜନାଙ୍କ ଘରକୁ ଯାଇଥିଲା। ଏହି ସମୟରେ ସିବିଆଇ ଅଧିକାରୀମାନେ ଅଞ୍ଜନାଙ୍କ ସହ ପ୍ରାୟ ୩୦ ମିନିଟ୍‌ ଆଲୋଚନା କରିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗଣବଳାତ୍କାର ପଛରେ ରହିଥିବା ଷଡଯନ୍ତ୍ର ଦିଗକୁ ନେଇ କ’ଣ ତଦନ୍ତ କରାଯାଉଛି ସେନେଇ ଅଞ୍ଜନା ସିବିଆଇ ଅଧିକାରୀଙ୍କୁ ପଚାରିଥବଲେ। ହେଲେ ତଦନ୍ତ ଚାଲିଥିବାରୁ କିଛି କହିହେବ ନାହିଁ। ଚାର୍ଜଶିଟ୍‌ ଦାଖଲ ପରେ ଜଣାପଡିବ ବୋଲି ସିବିଆଇ ଅଧିକାରୀମାନେ କହିଥିଲେ। ଏଥିସହିତ ବିବନଙ୍କ ଘରକୁ ମଧ୍ୟ ସିବିଆଇ ଟିମ୍‌ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଖୁବ୍‌ଶୀଘ୍ର ତଦନ୍ତ ଶେଷ କରାଯାଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଏହି ମାମଲାରେ ପୂର୍ବରୁ ୨ଜଣ ଗିରଫ ହୋଇ ଜେଲ ଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ୨୨ବର୍ଷ ଧରି ଫେରାର ଥିଲେ। ଗତ ଫେବୃୟାରୀ ୨୧ରେ କମିଶନରେଟ୍‌ ପୋଲିସ ବିବନଙ୍କୁ ପୁଣେ ଆମ୍ବି ଭ୍ୟାଲିରୁ ଗିରଫ କରିଥିଲା। ମାମଲା ସିବିଆଇ ହାତରେ ଥିବାରୁ ଗିରଫ ପରେ ପୋଲିସ ବିବନଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା। ଏହା ପରଠାରୁ ଚାର୍ଜଶିଟ୍‌ ଦାଖଲ କରିବାକୁ ସିବିଆଇ ମାମଲାର ଅଧିକ ତଦନ୍ତ କରୁଛି। ଘଟଣା ପରେ ବିବନ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲେ। ସେଠାରେ ଆତ୍ମଗୋପନ କରି କିପରି ରହୁଥିଲେ ଆଦି ସମସ୍ତ ଦିଗରେ ସିବିଆଇ ଛାନ୍‌ଭିନ୍‌ କରିଥିଲା। ବିବନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍‌ ରିକ୍ରିଏଶନ କରିଥିଲା। ଏଥିସହିତ ଝାରପଡ଼ା ଜେଲ୍‌ରେ ବିବନଙ୍କର ମଧ୍ୟ ଟିଆଇ ପରେଡ୍‌ ହୋଇଥିଲା। ଅଞ୍ଜନା ଓ ପ୍ରତ୍ୟକ୍ଷଦର୍ଶୀ ତାଙ୍କ କାର୍‌ର ଡ୍ରାଇଭର ଉଭୟ ବିବନଙ୍କୁ ଚିହ୍ନଟ କରିଥିଲେ।