ମାନବାଧିକାର କମିଶନରେ ପହଞ୍ଚିଲା ମାମଲା

ଉଦଳା,୧୩ା୧୦(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଭାଲୁହୁରୁଡ଼ା ଗ୍ରାମରେ ଗେଣ୍ଡୁ ଚାରା ଚୋରି ପାଇଁ ଜଣେ ନାବାଳିକାଙ୍କୁ ସମ୍ପର୍କୀୟ ବଡ଼ ମା’ ହତ୍ୟା କରିବା ପରେ ରଶିରେ ବାନ୍ଧି ଝୁଲାଇଦେବା ଘଟଣା ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏହି ଘଟଣାକୁ ନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତା ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ସେ ମାନବାଧିକାର କମିଶନରଙ୍କୁ ଅନୁରୋଧ କରିଛନ୍ତି। ଏହି ମାମଲାରେ ରାଜ୍ୟ ଗୃହ ବିଭାଗ, ପୋଲିସ ମହା ନିର୍ଦ୍ଦେଶକ ଓ ମୟୂରଭଞ୍ଜ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ନେଇ ମାନବାଧିକାର କମିଶନରେ ମାମଲା(ନଂ. ୧୭୦୬୩/୨୦୨୩) ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ବୁଧବାର ମଧ୍ୟାହ୍ନରେ ସାମାନ୍ୟ ଗେଣ୍ଡୁ ଚାରା ଚୋରିକୁ ନେଇ ଗୁଣ୍ଟି ହଁାସଦାଙ୍କ ଝିଅ ସରସ୍ବତୀଙ୍କୁ ସମ୍ପର୍କୀୟ ବଡ଼ ମା’ ଏକ ବେଗୁନିଆ ବାଡ଼ିରେ ପିଟିପିଟି ମାରିଦେବା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ ବେକରେ ରଶି ବାନ୍ଧି ଝୁଲାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବଡ଼ ମା’ ଲକ୍ଷ୍ମୀ ମୁର୍ମୁଙ୍କୁ ଗିରଫ କରିଛି।