ନାବାଳିକାଙ୍କୁୁ ଅସଦାଚରଣ ମାମଲା: ଦୋଷୀଙ୍କୁ ୩ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୯।୮- ବାଲେଶ୍ୱର ଜିଲା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ସୋମବାର ଏକ ନାବାଳିକା ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ରଞ୍ଜନ କୁମାର ସୂତାର ଏହାର ବିଚାର କରି ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ୪ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଅଧୀନ ପାତ୍ରପଡ଼ା ଅଞ୍ଚଳର ସୋମନାଥ ଦାସ (୪୭) ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାହାଯ୍ୟ ଓ ସହଯୋଗ କରିଆସୁଥିଲେ। ପରୋକ୍ଷରେ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଥିଲେ। ଗତ ୨୦୧୫ ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତିରେ ନାବାଳିକା ଜଣକ ପାଠ ପଢୁଥିବା ବେଳେ ସୋମନାଥ ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ। ନାବାଳିକାଙ୍କ ମା’ ଜାଣିପାରି ପଡ଼ୋଶୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ଏନେଇ ଗ୍ରାମର ଭଦ୍ରଲୋକମାନେ ସମାଧାନ ନିମନ୍ତେ ବୈଠକ ଡାକିଥିଲେ ମଧ୍ୟ ସୋମନାଥ ନ ଆସିବାରୁ ସେହି ମାସ ୨୮ ତାରିଖରେ ଚାନ୍ଦିପୁର ଥାନାରେ ନାବାଳିକାଙ୍କ ମା’ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୨୫।୨୦୧୫) ରୁଜୁ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।