ଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ହାଟଡିହୀ,୪।୭(ଡି.ଏନ୍‌.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେବା ସହ ଆକ୍ରମଣ କରାଯାଇଥିଲା। ଏନେଇ ଜଣେ ପୋଲିସ ଏସ୍‌ଆଇଙ୍କୁ ମହଙ୍ଗା ପଡିଛି l

ଅନ୍ୟପକ୍ଷେ ନନ୍ଦିପଦା ପୋଲିସ ଖବରଦାତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ନେଇ କୌଣସି ମାମଲା ରୁଜୁ କରି ନ ଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନନ୍ଦିପଦା ପୋଲିସ ଏକ ମାମଲା ରୁଜୁ କରିଛି। ଯାହା ଏବେ ଜିଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସୂଚନାଯୋଗ୍ୟ, ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ବିଶ୍ୱଜିତ ବେହେରା କିଛି ପୋଲିସ କର୍ମଚାରୀଙ୍କ ସହ ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସୋଲପଟା ଗ୍ରାମରେ ରହୁଥିବା ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେଇଥିଲେ। ଏନେଇ ଖବରଦାତାଙ୍କ ବାପା ଧନେଶ୍ୱର ନାୟକ ଗତ ଫେବୃୟାରୀ ୧୯ରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ତା’ ପରଦିନ ଦିନ ଅର୍ଥାତ ୨୦ ତାରିଖରେ ପୁଣି ଏସ୍‌ଆଇ ବେହେରା ଖବରଦାତାଙ୍କ ଘରେ ପଶି ଆକ୍ରମଣ କରିଥିବା ନେଇ ଆଉ ଏକ ଅଭିଯୋଗ ହୋଇଥିଲା। ହେଲେ ପୋଲିସ କୌଣସି ମାମଲା ରୁଜୁ କରି ନ ଥିଲା।

ଫଳରେ ଧନେଶ୍ୱର ସେହିଦିନ ଥାନାରେ କରିଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ (କେସ ନଂ ସିଆରଏଲ୍‌ ଏମ୍‌ପି ୪୦୨/୨୦୨୨) କ୍ରମେ ପୋଲିସ ଏକ ମାମଲା ରୁଜୁ କରି ହାଇକୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ୨୦ ତାରିଖ ଅଭିଯୋଗକୁ ପୋଲିସ ମାମଲା ରୁଜୁ ନ କରି ୧୯ ତାରିଖ ଅଭିଯୋଗକୁ ଭିତ୍ତି କରି ମାମଲା (ନଂ ୯୪/୨୦୨୨) ରୁଜୁ କରିଥିଲା।

ଏପରକି ହାଇକୋର୍ଟ ୨୦ ତାରିଖରେ ହୋଇଥିବା ଅଭିଯୋଗକୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦିପଦା ପୋଲିସ ଫେବୃୟାରୀ ୨୦ ତାରିଖରେ ହୋଇଥିବା ଅଭିଯୋଗକୁ ମାମଲା ରୁଜୁ କରିଛି l ମାମଲା ନଂ.୧୪୨/୨୯.୦୬.୨୦୨୨ ଏବଂ ଦଫା ୩୪୧, ୪୪୮, ୨୯୪, ୩୨୩, ୫୦୬, ୩୪, ୨୫ ଆମର୍ସ ଆକ୍ଟରେ ଏସଆଇ ବିଶ୍ୱଜିତ ଏବଂ ଅନ୍ୟ ୨୦ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏସଆଇ ବିଶ୍ୱଜିତ ବେହେରାଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୋଗ ପତ୍ରରେ ଏସ୍‌ଆଇ ବିଶ୍ୱଜିତଙ୍କ ଠିକଣା ଅଜଣା ବୋଲି ଉଲ୍ଲେଖ ରହିଛି । ପୋଲିସ ଗୋଟିଏ ମାମଲା ଅଭିଯୋଗର ୭୫ଦିନ ପରେ ରୁଜୁ କରିଥିବା ବେଳେ ଏବଂ ଅନ୍ୟ ଏକ ମାମଲା ୧୨୮ ଦିନ ପରେ ରୁଜୁ କରିଛି।

ସୂଚନା ଥାଉ ଏସଆଇ ବିଶ୍ୱଜିତଙ୍କ ନାମରେ ଧନେଶ୍ୱରଙ୍କ ପରିବାର ତରଫରୁ ନନ୍ଦିପଦା ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଯାହାକି ଏବେ କୋର୍ଟରେ ବିଚାରଧୀନ ରହିଛି। ଏହି ରାଗରେ ସେ ବାରମ୍ବାର ତାଙ୍କ ଘରକୁ ଯାଇ ଧମକ ଦେବା ସହ ଘରେ ପଶି ଆକ୍ରମଣ କରୁଥିବା ଧନେଶ୍ୱରଙ୍କ ପରିବାର ଲୋକ କହିଛନ୍ତି l