କୋର୍ଟଙ୍କ ନିର୍ଦ୍ଦେଶରେ ସଞ୍ଜୟ, ପ୍ରଣବଙ୍କ ନାଁରେ ମାମଲା

ନବରଙ୍ଗପୁର,୨୩ା୫(ବି.ପ୍ର.): ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କୁ ଗୋଇଠା ମାରିବା ଏବଂ ମହିଳାମାନଙ୍କୁ ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ ହୋଇଛି। ଭାଜପା ଯୁବନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝିଙ୍କ ଅଭିଯୋଗ ତଥା ଜିଲା ଦୌରାଜଜ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କ ନାମରେ ଥାନା ନଂ. ୨୩୫/୨୨ ଏବଂ ଆଇପିସି ଦଫା ୧୪୩, ୧୪୯, ଏସ୍‌ଟି/ ଏସ୍‌ସି ଆକ୍ଟର ଦଫା ୩ ରେ ଉଭୟଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଡିଏସ୍‌ପି ଯୁଗଳ ମଲ୍ଲିକ ଏହି ଘଟଣାର ତଦନ୍ତ ଭାର ନେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀରେ ନବରଙ୍ଗପୁର ଆର୍‌ଏମ୍‌ସି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ସଞ୍ଜୟ ଏବଂ ପ୍ରଣବ ଆସିଥିଲେ। ଏହି ସମୟରେ ମଣ୍ଡିରୁ ଧାନ ନ ଉଠିବା ସମସ୍ୟା ନେଇ ଭାଜପା ନେତା ଓ କର୍ମୀଙ୍କ ସମେତ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥଲେ। ତେବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏବଂ ଯାଜପୁର ବିଧାୟକ ଚାଷୀଙ୍କ ଅଭିଯୋଗ ଶୁଣିବା ବଦଳରେ ବିଜେଡି କର୍ମୀଙ୍କ ସହ କୃଷକ ସୂଚନା କେନ୍ଦ୍ର ଉଦ୍‌ଘାଟନ ନିମନ୍ତେ ଧସେଇ ପଶିଥିବା ଅଭିଯୋଗ ହୋଇଥିଲା। ଭାଜପା କର୍ମୀ ଏବଂ ମହିଳାମାନଙ୍କୁ ଏଠାରେ ଦୁହେଁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଗୌରୀଶଙ୍କର ସେତେବେଳେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଗ୍ରହଣ କରି ନ ଥିଲା। ୨୦୨୧ ଫେବୃୟାରୀ ୫ ରେ ଏ ନେଇ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହାପରେ ଗୌରୀଶଙ୍କର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବତନ ଏମ୍‌ପି ବଳଭଦ୍ର ମାଝି, ଅରୁଣ ପୂଜାରୀ, ଶର୍ମିଷ୍ଠା ଦେଓ, ବବିତା ସାହୁ, ରାମଚନ୍ଦ୍ର ଗଡବା ପ୍ରମୁଖ ସାକ୍ଷୀ ରହିଥିଲେ। ଏବେ ଜିଲା ଦୌରାଜଜ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ରାତିରେ ନବରଙ୍ଗପୁର ଥାନାରେ ସଞ୍ଜୟ ଏବଂ ପ୍ରଣବଙ୍କ ନାମରେ ମାମଲା ରୁଜୁ ହୋଇଛି।