ମାମଲା ଶୁଣାଣି ପାଇଁ ସମୟ ଧାର୍ଯ୍ୟ ରହିଛି

ସମ୍ବଲପୁର,୧୨।୧୧(ବ୍ୟୁରୋ):  ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନିୟମ ରହିଛି। ଆଇନ ଅନୁସାରେ ଦଣ୍ଡିବିଧାନ ମଧ୍ୟ କରାଯାଉଛି। ୨୦୧୯ ପୂର୍ବରୁ ଉପଭୋକ୍ତା ସୁରକ୍ଷା ଆଇନର ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂର୍ବରୁ ମାମଲାର ଶୁଣାଣିରେ ବିଳମ୍ବ ହେଉଥିଲା। ହେଲେ ଏବେ ଧାର୍ଯ୍ୟ ସମୟ କରାଯାଇଛି। ଫଳରେ ଅଧିକରୁ ଅଧିକ ଉପଭୋକ୍ତା ନିଜ ସମସ୍ୟା ଓ ଠକେଇକୁ ନେଇ ମାମଲା ରୁଜୁ କରି ଆଇନଗତ ଲାଭ ନେଇପାରିବେ ବୋଲି ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ପରିଷଦ ସଭାପତି କୁମୁଦିନୀ ନାୟକ, ବିଧାୟକ ପ୍ରତିନିଧି ସମୀର ରଞ୍ଜନ ବାବୁ, ଗୋପି ରଞ୍ଜନ ବେହେରା, ଏଡିଏମ୍‌ ଅଜାମ୍ବର ମହାନ୍ତି ଓ ଉପଭୋକ୍ତା ଫୋରମ ବିଚାରପତି ରମାକାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। ସେମାନେ ଦର୍ଶାଇଥିଲେ, ଉପଭୋକ୍ତାଙ୍କୁ ସୁରକ୍ଷା ଦେବାରେ ଉପଭୋକ୍ତା ପରିଷଦର ପ୍ରମୁଖ ଭୂମିକା ରହିଛି। ନିଜ ଅଞ୍ଚଳରେ ଘଟୁଥିବା ସମସ୍ୟା ଓ ଘଟଣା ଉପରେ ମତ ରଖି ଜିଲା ପରିଷଦ ଜରିଆରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିବେ। ଏବେ ଗ୍ରାହକମାନେ ଅନଲାଇନ ଠକେଇର ଶିକାର ହେଉଛନ୍ତି। ଏହାକୁ ରୋକିବା ପାଇଁ ପୋଲିସର ମୁଖ୍ୟ ଭୂମିକା ରହିଛି। ଏଥିସହ ସାମଗ୍ରୀରେ ଥିବା ଏମ୍‌ଆର୍‌ପିଠାରୁ ଅଧିକ ଦରରେ ବିକ୍ରି କରିବା, ସାମଗ୍ରୀର ମାନ ଯାଞ୍ଚ କରିବା, ତୈଳ ଜାତୀୟ ସାମଗ୍ରୀ ପରିମାଣ ଯାଞ୍ଚ କରିବା, ଓଜନ ମେଶିନ ଭଳି ସାମଗ୍ରୀକୁ ଗ୍ରାହକମାନେ ଯାଞ୍ଚ କରିବା ଉଚିତ। ସମୟ ଅନୁସାରେ ଯେତିକି ଅତ୍ୟାଧୁନିକ ପ୍ରଣାଳୀ ବାହାର କରି ସୁବିଧା ନିଆଯାଉଛି, ସେତିକି ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଗ୍ରାହକ ସଚେତନ ହେଲେ ସୁରକ୍ଷିତ ରହିପାରିବେ ବୋଲି କହିଥିଲେ। ଏହାସହ ବିଭିନ୍ନ ଲାଇନ ବିଭାଗରୁ ଆସିଥିବା ଅଧିକାରୀମାନଙ୍କୁ ନିଜ ବିଭାଗରେ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରି ଗ୍ରାହକମାନଙ୍କୁ ସୁରକ୍ଷା ଦେବାପାଇଁ ସମିତିରେ ସ୍ଥିର କରାଯାଇଥିଲା। ଅଧିକାରୀ ଓ ଜନପ୍ରତିନିଧିଙ୍କ ସୁଚିନ୍ତିତ ପ୍ରସ୍ତାବ ଗୃହୀତ କରାଯାଇ ଜିଲା ପ୍ରଶାସନ ପାଖରେ ଦାଖଲ କରାଯିବାକୁ ସ୍ଥିର କରାଯାଇଛି।