କାର୍‌ ଉପରେ ମାଡ଼ିଗଲା କାର୍‌, ଦୁଇ ଗୁରୁତର

ସାରସକଣା,୨ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ୧୮ ନଂ ଜାତୀୟ ରାଜପଥ ସଂକୁଚା ନିକଟରେ କାର୍‌ ଉପରେ ଅନ୍ୟ ଏକ କାର୍‌ ମାଡ଼ିଯିବାରୁ ୨ଜଣ ଗୁରୁତର ଥିବା ଜଣାଯାଇଛି।
ପ୍ରକାଶ ଯେ, ଝାରପୋଖରିଆ ପଟୁ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଅନ୍ୟ ଏକ କାର୍‌ ଉପରେ ଚଢିଯାଇଥିଲା । ସଂକୁଚା ଛକ ନିକଟରେ ମା’ ଜଗଦ୍ଧାତ୍ରୀ ପୂଜା ଚାଲିଥିଲା ବେଳେ ମେଳା ଦେଖିବାକୁ ଭିଡ଼ ଜମିଥିଲା । ଓଡି-୧୧-ଏକ୍ସ-୧୮୮୫ ନମ୍ବର ବିଶିଷ୍ଟ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାରେ ଥିବା ପୋଲିସ ବ୍ୟାରିକେଡକୁ ଧକ୍କା ହେବା ସହିତ ଓଡି-୦୨-ଏ.ଜେ.-୦୪୩୦ ଉପରେ ଚଢିଯାଇଥିଲା ଏବଂ ନିକଟରେ ରହିଥିବା ଦୁଇଟି ଅଟୋକୁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକମାନେ କାର୍‌ ମଧ୍ୟରେ ଥିବା ୫ଜଣଙ୍କୁ ବାହାର କରି ମେଡିକାଲକୁ ପଠାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବରପାଇ ଝାରପୋଖରିଆ ସବ୍‌ଇନ୍ସପେକ୍ଟର ଅଶୋକ ପହି ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦମକଳ ବାହିନୀ, ଏନ୍‌.ଏଚ.ଆଇ. ଗାଡ଼ିରେ ସମସ୍ତଙ୍କୁ ମେଡିକାଲ ପଠାଯାଇଛି।