କ୍ୟାମେରାମ୍ୟାନ ମାନସ ହତ୍ୟା କାରଣ କେବଳ ମେମୋରି ଚିପ୍‌, ନା ଆଉ କିଛି

ଭୁବନେଶ୍ୱର,୧।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା କାରଣ
କେବଳ ମେମୋରି ଚିପ୍‌ ନା ଆଉ କିଛି। ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୪ ଦିନ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ତନାଘନା କରିବା ସହ ଏପରି କିଛି ସନ୍ଦେହ କରିଛି। ମାନସ ଶର୍ମିଷ୍ଠାଙ୍କୁ ବ୍ଲାକମେଲ କରୁଥିଲେ କି, ଯେଉଁଥିପାଇଁ ସେ ଏପରି ଚରମ ପଦକ୍ଷେପ ନେଲେ, ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।
ଚାନ୍ଦବାଲି ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଭୁବନେଶ୍ୱରର ଏକ ଆଶ୍ରମ ନିଆଯାଇଥିଲା। ସେଠାରେ ଅତ୍ୟଧିକ ମାଡ଼ ଯୋଗୁ ମାନସଙ୍କ ମୃତ୍ୟୁ ଘଟିଥିଲା । ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ଥିବା ବେଳେ ପିଟି ପିଟି ଏପରି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ରିମାଣ୍ଡରେ ୪ ଅଭିଯୁକ୍ତଙ୍କୁ ନେଇ ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ଜଣାପଡ଼ିଛି । ତେବେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଏହି ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିପାରେ ।