ଗାଁରୁ ଗୋଶାଳାକୁ ଗଲା ଓଟ

ଢେଙ୍କାନାଳ ଅଫିସ, ୧୯।୩: ବୁଢ଼ା ହୋଇଯାଇଛି ଓଟ। ଆଗ ଭଳି ପିଠିରେ ଆଉ ଯାତ୍ରୀଙ୍କୁ ବୋହିପାରୁନି କି ମନୋରଞ୍ଜନ କରିପାରୁନି। ଓଟ ମାଧ୍ୟମରେ ପକେଟକୁ ଆସୁଥିବା ଟଙ୍କା ବନ୍ଦ ହୋଇଯିବା ପରେ ପର କରିଦେଇଛି କୃତଘ୍ନ ମାଲିକ। ରୋଗଣା ଶରୀର ବୋଝ ବୋହିବାକୁ ଅକ୍ଷମ ହୋଇଯିବା ପରେ ଆଉ ଆଗଭଳି ମିଳୁନାହିଁ ଯତ୍ନ କି ଆଦର। ଏଭଳି ସ୍ଥିତିରେ ଇତସ୍ତତଃ ହୋଇ ବୁଲୁଥିବା ଉକ୍ତ ନିଃସଙ୍ଗ ଓଟର ଦାୟିତ୍ୱ ନେଇଛି ଢେଙ୍କାନାଳ ଜିଲା ପ୍ରଶାସନ ଏବଂ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ। ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟ କଳ୍ପତରୁ ଗୁରୁକୁଳ ସେବାଶ୍ରମରେ ପରିସରରେ ଥିବା ଶ୍ରୀରାଧାଗୋବିନ୍ଦ ଜୀଉ ଗୋଶାଳାରେ ଶନିବାର ଏହାକୁ ରଖାଯାଇଛି। ସେଠାରେ ଏହି ପରିତ୍ୟକ୍ତ ଭାରବାହୀ ପ୍ରାଣୀର ଆବଶ୍ୟକ ଚିକିତ୍ସା ଏବଂ ଖାଦ୍ୟପେୟ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ମାଲିକ ଛାଡ଼ି ପଳାଇଯିବା ପରେ ଉକ୍ତ ଓଟ ଓଡ଼ାପଡ଼ା ବ୍ଲକ ବଉଳପୁର ଗ୍ରାମରେ ବୁଲୁଥିଲା। ଏ ସମ୍ପର୍କରେ ପ୍ରଥମେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଏହାର ଚିକିତ୍ସା ଆରମ୍ଭ ହୋଇଥିଲା। ନାକରେ ପୋକ ହୋଇଯାଇଥିବାବେଳେ ଇଞ୍ଜେକ୍ସନ ଦେଇ ସଫା କରାଯାଇଥିଲା। ଏହାର ଖାଦ୍ୟପାନୀୟ ଦାୟିତ୍ୱ ବୁଝିବାକୁ ପଞ୍ଚାୟତକୁ ପରାମର୍ଶ ଦିଆଯାଇଥିଲା। ହେଲେ ପଞ୍ଚାୟତ ପ୍ରଶାସନ ଅଧିକ ଦିନ ଧରି ଏହି ଦାୟିତ୍ୱ ତୁଲାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଓଟକୁ ସ୍ଥାୟୀ ଭାବେ ଥଇଥାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଓଟକୁ ବଉଳପୁର ଗ୍ରାମରୁ ପ୍ରାଣୀଧନ ଚିକିତ୍ସା ବିଭାଗ କର୍ମଚାରୀମାନେ ସୁରକ୍ଷିତ ଭାବେ ଗୋଶାଳାକୁ ଆଣିଥିଲେ। ଏଥିପୂର୍ବରୁ ଗୋଶାଳା ଓ ସେବାଶ୍ରମ ପରିଚାଳନା କରୁଥିବା ସାଧୁ ମୁରାରି ଦାସଙ୍କ ସହ ଆଲୋଚନା କରାଯାଇଥିଲା। ତାଙ୍କ ସମ୍ମତିକ୍ରମେ ଓଟକୁ ଗୋଶାଳାରେ ରଖାଯାଇଥିବା ଜିଲା ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ଡମ୍ବରୁଧର ସାମଲ ସୂଚନା ଦେଇଛନ୍ତି।