ମାଲିକଙ୍କୁ ଖୋଜି ବୁଲୁଛି ଓଟ

ଢେଙ୍କାନାଳ ଅଫିସ,୧୪ା୩:ସ୍ବାର୍ଥ ହାସଲ ପରେ ପର କରିଦେଇଛି ମାଲିକ। ଛାଡ଼ିଦେଇ ପଳାଇଛି ନିଜ ପାଳିତ ଓଟକୁ। ହେଲେ ମାଲିକଙ୍କ ସ୍ବାର୍ଥସର୍ବସ୍ବ ମନୋଭାବକୁ ବୁଝିପାରୁନି ଏହି ପାଳିତ ପ୍ରାଣୀ। ସେଥିପାଇଁ ଗଁା, ରାସ୍ତା, ବଣ, ନଦୀକୂଳ ବୁଲି ଖୋଜୁଛି ମାଲିକଙ୍କୁ। କିଏ କିଛି ଦେଲେ ଖାଉଛି ନ ହେଲେ ସେମିତି ମାଲିକଙ୍କ ଫେରିବା ବାଟକୁ ଚାହିଁରହୁଛି।
ଢେଙ୍କାନାଳ ଜିଲା ସଦର ଥାନା ଝାରଗାଡିଆ ଫାଣ୍ଡି ବଉଳପୁର ଅଞ୍ଚଳରେ ସପ୍ତାହେ ହେବ ଏକ ଓଟ ବୁଲୁଥିବା ଦେଖାଯାଉଛି। ଓଟଟି ଦୁର୍ବଳ ହୋଇଯାଇଥିବାରୁ ମାଲିକ ତାକୁ ଛାଡି କେଉଁଆଡେ ଚାଲି ଯାଇଥିବା ଜଣାପଡିଛି। ଗ୍ରାମବାସୀ ଓଟଟିକୁ କିଛି ଖାଇବାକୁ ଦେଉଥିବା ବେଳେ ପାଣି ପିଇବାକୁ ବ୍ରାହ୍ମଣୀ ନଦୀ କୂଳକୁ ଯାଉଥିବା ଦେଖାଯାଉଛି। ତେବେ ଠିକ୍‌ ଭାବେ ଖାଇବାକୁ ପାଉ ନ ଥିବାରୁ ଏହି ପ୍ରାଣୀଟି ଅତି ଦୁର୍ବଳ ହୋଇପଡିଥିବା ଦେଖାଯାଇଛି। କିଛିବର୍ଷ ତଳେ ସଦର ଥାନା ଅଞ୍ଚଳରେ ନିଜ ପାଳିତ ଘୋଡାଟିକୁ ଛାଡ଼ି ମାଲିକ କେଉଁଆଡ଼େ ପଳାଇ ଯାଇଥିଲେ। କିଛିଦିନ ଏପରି ବୁଲାବୁଲି କରିବା ପରେ ଘୋଡ଼ାଟି ପ୍ରାଣ ହରାଇଥିଲା। ଉକ୍ତ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଜଣେ ଓଟ ମାଲିକଙ୍କ ଏପରି ନିର୍ଦ୍ଦୟତା ପୁଣି ସାମ୍‌ନାକୁ ଆସିଛି। ଦିନକୁ ଦିନ ଏପରି ଘଟଣା ବଢ଼ିଚାଲିଥିବା ବେଳେ ଏଥିପ୍ରତି ପ୍ରଶାସନ, ପ୍ରାଣୀଧନ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି, ପୂର୍ବରୁ ଓଟ ବନ୍ୟପ୍ରାଣୀ ଭାବେ ଗଣତି ହେଉଥିଲା। କିଛିବର୍ଷ ହେବ ଏହା ଗୃହପାଳିତ ପ୍ରାଣୀ ଭାବେ ଗଣତି ହେଉଛି। ତେଣୁ ବନ ବିଭାଗ ଏଥିରେ କିଛି କରିପାରିବ ନାହିଁ।