ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏହାର ସୁରକ୍ଷା ପାଇଁ ଅନୁଦାନ ଦିଆଯାଉଛି। ଏହାସହ ଏହି ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହୋଇଛି। ଏଥିସହ ୧୯୯୧, ୨୦୧୧ ଓ ୨୦୧୯ ମସିହାରେ ଉପକୂଳ ପରିଚାଳନା ଜୋନ୍‌ (ସିଆର୍‌ଜେଡ୍‌) ଚିହ୍ନଟ ହୋଇ ନୋଟିଫିକେଶନ ହୋଇଛି। ଏହା ସତ୍ତ୍ୱେ ଓଡ଼ିଶାର କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଜିଲା ତଟାଞ୍ଚଳ ସୁରକ୍ଷିତ ନୁହେଁ ବୋଲି ଦର୍ଶାଯାଇଛି। ନିକଟରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ) ନିର୍ଦ୍ଦେଶକ ସଞ୍ଜୟ କୁମାର ଝାଙ୍କ ୨୦୧୫ରୁ ୨୦୨୦ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ନ ଥିବା କ୍ଷୋଭ ପ୍ରକାଶ କରାଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଏହାର ସୁଫଳ ମିଳୁ ନ ଥିବା ଉଲ୍ଲେଖ ହୋଇଛି। ଅପରପକ୍ଷରେ ଏହି ସିଏଜି ରିପୋର୍ଟ ପ୍ରକାଶ ଓ ଧରିତ୍ରୀ ଜୁଲାଇ ୧୮ ତାରିଖରେ ଏ ନେଇ ସବିଶେଷ ବିବରଣୀ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣାବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ (ଏନ୍‌ଆଇଓଟି) ମଧ୍ୟରେ ବୁଧବାର ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଓ ଏନ୍‌ଆଇଓଟି ନିର୍ଦ୍ଦେଶକ ଡ. ଜି.ଏ. ରାମ ଦାସ ଏହି ଏମ୍‌ଓୟୁରେ ସ୍ବାକ୍ଷର କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ଓ ଲୁଣାବନ୍ଧର ସୁରକ୍ଷା ଦେବାକୁ କୁହାଯାଉଛି।
ସିଏଜି ରିପୋର୍ଟ ଅନୁଯାୟୀ, ତଟାଞ୍ଚଳରେ ଶିଳ୍ପାଞ୍ଚଳ ବିକଶିତ ହୋଇଛି। ସେହିପରି ତଟାଞ୍ଚଳରେ ଚିଙ୍ଗୁଡି ଘେରି, ବହୁମାତ୍ରାରେ ଲୋକ ବସବାସ କରୁଛନ୍ତି। ଏଥିପାଇଁ ତଟବନ୍ଧ ଓ ପରିବେଶ ଅସୁରକ୍ଷିତ ହୋଇପଡିଛି। ଜଗତ୍‌ସିଂହପୁର ଜିଲାର ପାରାଦୀପ ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଥିବା ଉପକୂଳ ଅଞ୍ଚଳର ପରିବେଶ ନିରୀକ୍ଷଣ ପାଇଁ ୨୦୧୩ରୁ ୨୦୧୫ ଭିତରେ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ୧୯ଟି ପରୀକ୍ଷାଗାର ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହସ୍ତାନ୍ତାର କରାଯାଇଥିଲା। ଏହି ପରୀକ୍ଷାଗାର ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯିବା କଥା। ମାତ୍ର ଏହି ବୋର୍ଡ ୩୩ରୁ ୫୯ ପ୍ରତିଶତ କାର୍ଯ୍ୟକାରୀ ହୋଇଛି। ଜଳ ଓ ବାୟୁର ମାନ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ବହୁ ପଛରେ ପଡିଛି। ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ରାଜନଗର ମ୍ୟାନ୍‌ଗ୍ରୋଭ ଫରେଷ୍ଟ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୨୨୮ ହେକ୍ଟର ଜମିରେ ହେନ୍ତାଳ ବଣ ସୃଷ୍ଟି ହୋଇଥିବା ଦର୍ଶାଯାଇଥିଲା। ତଦନ୍ତ ସମୟରେ ବହୁସ୍ଥାନରେ ହେନ୍ତାଳ ବଣ ଦେଖିବାକୁ ମିଳିନାହିଁ। ଅନ୍ୟ କେତେକ ସ୍ଥାନରେ ମାତ୍ର ୩୫ ପ୍ରତିଶତ ଗଛ ଦେଖିବାକୁ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ରାଜନଗରର ପେଣ୍ଠଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଜିଓ ସିନ୍ଥେଟିକ୍‌ ଓ୍ବାଲ ନିର୍ମାଣ ହୋଇଥିଲା। ମାତ୍ର ଏହି ୱାଲ୍‌ର ଗାବିୟନ ବକ୍ସରୁ ପଥର ବାହାରି ସମୁଦ୍ର ମଧ୍ୟକୁ ଚାଲିଯାଉଛି। ୨୦୧୮ ମସିହାରେ ଏହି ଟ୍ୟୁବ୍‌ ୱାଲ୍‌ର ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ତଦନ୍ତ ସମୟରେ ପେଣ୍ଠ ତଟାଞ୍ଚଳର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏଥିସହ ୨୦୧୯ ଅଗଷ୍ଟରେ ଟ୍ୟୁବ୍‌ ୱାଲ୍‌ରେ ନିଅଁା ଲାଗି ଯିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ତଟବନ୍ଧ ସୁରକ୍ଷାକୁ ନେଇ ସିଏଜି ରିପୋର୍ଟରେ ବହୁ ପ୍ରଶ୍ନ ଉଠାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲାରେ ମୋଟ ୭୪୪.୩୭ କି.ମି.ର ଲୁଣା ତଟବନ୍ଧ ଅଛି। ଏହି ବନ୍ଧ ଅସୁରକ୍ଷିତ ଥିବାରୁ ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶି ଆସୁଛି। ଏଥିସହ ଜିଲାର ମୋଟ ୬୪ଟି ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଛି।