ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା

ସୋନପୁର,୨୬।୧୧: ସୋନପୁର ଜିଲା ଜାତୀୟ ରାଜପଥ ୫୭ର ସୁବର୍ଣ୍ଣପୁରର ବ୍ଲକ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରୁ ରାଇଘର-ଉମରକୋଟ ଅଭିମୁଖେ ଏକ ଯାତ୍ରୀବାହୀ ବସ ସହ ସମ୍ବଲପୁର ପଟୁ ଆସୁଥିବା ମାଲବାହୀ ଟ୍ରକ ସୋନପୁର ବ୍ଲକ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ସୋନପୁର ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଯାତ୍ରୀଙ୍କୁ ଛାଡି ଦିଆଯାଇଥିବା ଜଣାଯାଇଛି।