ରାସ୍ତା ଜାମରେ ଫସିଲା ବସ୍‌, ଅଫିସରଙ୍କ ଗାଡ଼ି

କାଳିଆପାଣି,୩ା୬(ଡି.ଏନ.ଏ.): ଯାଜପୁର ଜିଲାର କ୍ରୋମାଇଟ୍‌ ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇପଡ଼ିଛି। ଫଳରେ ଶୁକ୍ରବାର ବସ୍‌ ଯାତ୍ରୀଙ୍କ ସହ ଖଣି କର୍ମଚାରୀ ଓ ଅଧିକାରୀମାନେ ଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ପାରିନାହାନ୍ତି। ଏଥିଯୋଗୁ ଖଣି କାର୍ଯ୍ୟ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ପାରି ନ ଥିବାରୁ ସେମାନଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି।
ଖଣିକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଗୁରୁବାରଠାରୁ ରାସ୍ତା କଡ଼ରେ ଶତାଧିକ ୧୦/୧୨/୧୪ ଚକିଆ ଟ୍ରକ୍‌ ପାର୍କିଂ କରାଯାଇଛି। ଫଳରେ ଶୁକ୍ରବାର ୬ ଚକିଆ ଟ୍ରକ୍‌ଗୁଡ଼ିକ ରାସ୍ତାର ଅପର ପାଶର୍‌ବରେ ପାର୍କିଂ କରାଯାଇଥିଲା, ଯଦ୍ଦ୍ବାରା ଉଭୟ ପଟୁ ଟ୍ରକ୍‌ ଆସି ମଝିରେ ପସିଯିବାରୁ ରାସ୍ତା ଜାମ୍‌ ହୋଇଯାଇଥିଲା। ରାତି ୪ଟାରୁ ସୁକୁରୁଙ୍ଗି ଓ କାଳିଆପାଣିରୁ କଟକ, ଭୁବନେଶ୍ବର, ଯାଜପୁର ଟାଉନ, ଅନୁଗୋଳ, କେନ୍ଦୁଝର ଓ କରଞ୍ଜିଆ ଅଞ୍ଚଳକୁ ବସ ଚଳାଚଳ କରିଥାଏ। ହେଲେ ଶୁକ୍ରବାର ଟ୍ରକ୍‌ଗୁଡ଼ିକ ଦ୍ବାରା ରାସ୍ତା ଜାମ୍‌ ହେବାରୁ ବସ୍‌ଗୁଡିକ ନିଜନିଜ ଗନ୍ତବ୍ୟସ୍ଥଳକୁ ଯାଇପାରି ନ ଥିଲେ। ଦିନତମାମ ରାସ୍ତାରେ ବସ୍‌ଗୁଡ଼ିକ ଫସି ରହିଥିବାବେଳେ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।
ଟ୍ରକ୍‌ ଦ୍ବାରା ରାସ୍ତା ଏପରି ଅବରୋଧ ହୋଇଥିଲାଯେ, ପଥଚାରୀ ମଧ୍ୟ ଯାତାୟାତ କରି ପାରି ନ ଥିଲେ। କାଳିଆପାଣି, ଓସ୍ତପାଳ, ସୁକୁରୁଙ୍ଗି, ସରୁଆବିଲ, କମର୍ଦା ଖଣି ଅଧିକାରୀମାନେ ସକାଳୁ ଖଣିକୁ ଯିବାକୁ ବାହାରିଥିବାବେଳେ ଜାମରେ ଫସି ରହିଥିଲେ। ସ୍ଥାନୀୟ ପୋଲିସର ଅପାରଗତା ଓ ଟ୍ରକ୍‌ ମାଲିକଙ୍କ ବେପରୁଆ ଗାଡ଼ି ପାର୍କିଂ ଯୋଗୁ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଟିସ୍କୋ ପାର୍କିଂ ୟାର୍ଡରେ ଟ୍ରକ୍‌ ଭର୍ତ୍ତି କରିବାକୁ ନେଇ ୨/୩ ଘଣ୍ଟା ରାସ୍ତା ଜାମ ହେଉଥିବା ବେଳେ ଶୁକ୍ରବାର ଏହା ଚରମ ସୀମାରେ ପହଞ୍ଚତ୍ଛି। ସକାଳଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖଣି ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଟମକା ମଙ୍ଗଳପୁର ମୁଖ୍ୟ ରାସ୍ତା ଜାମ ରହିଥିଲା। କାଳିଆପାଣି ଓଏମ୍‌ସି ଗେଟ୍‌ଠାରୁ କୋଳିପଶି ଛକ ୭ କିଲୋମିଟର ରାସ୍ତାରେ ୪ ଧାଡ଼ିରେ ଟ୍ରକ୍‌ ରହିଥିବାରୁ ଆମ୍ବୁଲାନ୍ସ, ଛୋଟ ଗାଡି ଘଣ୍ଟାଘଣ୍ଟା ଧରି ଜାମରେ ଫସି ରହିଥିଲା। ଖରାରେ ଯାତ୍ରୀ ସିଝୁଥିବାବେଳେ ପୋଲିସ ଟ୍ରାଫିକ ସୁଧାରିବା ପାଇଁ ଅସହାୟ ପ୍ରକାଶ କରି ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଥିଲା।