ଘାଟିରୁ ଖସିଲା ବସ୍‌, ଚାଲିଗଲା ୩୯ ଜୀବନ

ଇସଲାମାବାଦ,୨୯ା୧: ରବିବାର ପାକିସ୍ତାନର ଲାସବେଲା ଜିଲାର ଏକ ବସ୍‌ ଘାଟିରୁ ଖସିପଡ଼ିଥିବା ବେଳେ ଅତି କମ୍‌ରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲା ଆସିଷ୍ଟାଣ୍ଟ କମିଶନର ହମଜା ଅଞ୍ଜୁମ କହିଛନ୍ତି, ୪୮ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି କ୍ୱେଟାଠାରୁ କରାଚି ଅଭିମୁଖେ ଯାଉଥିଲା।

ଲାସବେଲା ନିକଟରେ ୟୁ-ଟର୍ନ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ଏକ ବ୍ରିଜ୍‌ର ବାଡ଼କୁ ଧକ୍କା ଦେଇ ତଳକୁ ଖସିପଡ଼ିବା ପରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଥଣ୍ଡା ପାଗ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଏହି ଦୁର୍ଘଟଣାରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍‌ ଭିତରୁ ତିନି ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏଥିରେ ଜଣେ ଶିଶୁ ବି ଅଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଲାସବେଲା ଆସିଷ୍ଟାଣ୍ଟ କମିଶନର କହିଛନ୍ତି।

 

Share