ଦବିଗଲା ବସ୍‌, ସବୁଆଡ଼େ ଜଳାର୍ଣ୍ଣବ

ବରଗଡ଼,୧୮।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ମାତ୍ର ତାହା ମଧ୍ୟ ଅଧବାଟେ ଅଟକି ରହିଛି। ଏଭଳି ସ୍ଥିତିରେ ସାମାନ୍ୟ ବର୍ଷାରେ ସହରସ୍ଥିତ ଗଳିକନ୍ଦି ରାସ୍ତା ଜଳାର୍ଣ୍ଣବ ହୋଇ ପଡୁଛି। ବିଭିନ୍ନ ପଡ଼ାରେ ଘରକୁ ମଧ୍ୟ ନର୍ଦ୍ଦମା ସହିତ ବର୍ଷାପାଣି ପଶୁଛି। ଏଥିରୁ ସରକାରୀ ବସଷ୍ଟାଣ୍ଡଠାରୁ ଆରମ୍ଭ କରି ସମଗ୍ର ଶିକ୍ଷା କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବାଦ୍‌ ପଡ଼ି ନାହିଁ। ସେହି ସ୍ଥାନ ଗୁଡ଼ିକ ଜଳମଗ୍ନ ହୋଇ ପଡୁଛି। ଏପରିକି ବୁଧବାର ରାତିରୁ ଲାଗି ରହିଥିବା ବର୍ଷା ଶୁକ୍ରବାର ହ୍ରାସ ପାଇଥିଲେ ସୁଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରୁ ବର୍ଷାଜଳ ନିଷ୍କାସନ ହୋଇ ପାରି ନଥିଲା ଏବଂ ସେଠାରେ ତାହା ଲହଡ଼ି ମାରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାରରୁ ସରକାରୀ ବସଷ୍ଟାଣ୍ଡ ପରିସରରେ ଏକ ବସ ଦବି ରହିଛି। ପ୍ରଥମ ବର୍ଷାରୁ ସହରରେ ଏଭଳି ସମସ୍ୟା ଲାଗି ରହିଛି। ମାତ୍ର ଏପର୍ଯ୍ୟନ୍ତ ତାର ସମାଧାନର ବାଟ ଖୋଲାଯାଇ ପାରି ନାହିଁ। ଆଗକୁ ପୁଣି ବର୍ଷା ମାଡ଼ି ଆସୁଥିବାରୁ ଏ ଦିଗରେ ତ୍ୱରିତ୍‌ ପଦକ୍ଷେପ ନିଆ ନଗଲେ ସହରରେ ବର୍ଷାଜନିତ ସମସ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share