ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାଙ୍କୀ ଅନ୍ତର୍ଗତ ଡମପଡ଼ା ବ୍ଲକ କଇଁମୁଣ୍ଡି ଗ୍ରାମରେ।
ସୂଚନା ଅନୁଯାୟୀ, ପାଥପୁର ପଞ୍ଚାୟତସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାର୍ହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାର୍ହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ବେଷଣ ବେଳେ ପୂର୍ବରୁ ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାକୁ ଖାଇଦେଇଥିଲା। ଫଳରେ ବୋମା ବିସ୍ଫୋରଣରେ ଷଣ୍ଢର ମୁହଁ ଛିନ୍ଛତ୍ର ହୋଇଯାଇଥିଲା। କେତେକ ସାମାଜିକ କର୍ମୀଙ୍କ ସହଯୋଗରେ ଷଣ୍ଢକୁ ଖୋଜି ତା’ର ଚିକିତ୍ସା କରାଯାଇଥିଲା। କିନ୍ତୁ ଷଣ୍ଢଟି ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲା। ଜଙ୍ଗଲୀ ଜନ୍ତୁ ବାର୍ହା, କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁଙ୍କୁ ମାରି ବାହାରେ ବିକ୍ରି କରାଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସଚେତନ ପୂର୍ବକ ବନବିଭାଗ ଅଧିକାରୀ ଓ କର୍ମଚାରୀ ଏଭଳି କାଣ୍ଡ ଭିଆଉଥିବା ଅସାମାଜିକ ବ୍ୟକ୍ତିଙ୍କ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଷଣ୍ଢଟି ମୃତ୍ୟୁବରଣ କରିବା ପରେ ସ୍ଥାନୀୟ ଯୁବକମାନେ ପୋତି ଅନ୍ତିମ ସତ୍କାର କରିଥିଲେ।