‘ପୋଲିସ ମିତ୍ର’ଙ୍କ ଭାଇ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ଶନିବାର ଭୁବନେଶ୍ୱର ରେଞ୍ଜ୍‌ର ଅବକାରୀ ଟିମ୍‌ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଚଢ଼ାଉ କରି ‘ପୋଲିସ ମିତ୍ର’ ସହଦେବ ନାୟକଙ୍କ ବଡ଼ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଟୁନା ନାୟକ(୩୫)। ତାଙ୍କଠାରୁ ୨୧୭ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ। ଏନେଇ ଏକ ମାମଲା (୪୬/୨୦୨୨-୨୦୨୩) ରୁଜୁ କରାଯାଇ ଅଭିଯୁକ୍ତ ଟୁନାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ମିତ୍ର ସହଦେବଙ୍କୁ ବାହାର କରାଯାଇଥିବା ଜଣାପଡ଼ିଛି।
ଅନୁଯାୟୀ, ଟୁନା ୨୦୨୧ ଲକ୍‌ଡାଉନ ସମୟରେ ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ଟିମ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ବେଲ୍‌ରୁ ଆସିବା ପରେ ଗତ କିଛିମାସ ହେବ ସେ ବ୍ରାଉନସୁଗାର ବେପାର ଆରମ୍ଭ କରିଥିଲେ। ଟୁନା ବାଲେଶ୍ୱର ଜିଲା ଜଳେଶ୍ୱର ଯାଇ ବ୍ରାଉନସୁଗର ଆଣନ୍ତି। ଏଥିସହ ଏଜେଣ୍ଟମାନେ ମଧ୍ୟ ତାଙ୍କୁ ବ୍ରାଉନସୁଗାର ଦେଇଯାଆନ୍ତି। ତେବେ ଗତ କିଛିଦିନ ତଳେ ଏନେଇ ଅବକାରୀ ଟିମ୍‌ ଖବର ପାଇ ଟୁନାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା। ଅବକାରୀ ଟିମ୍‌ର ଜଣେ ଅଧିକାରୀ ଓ ଜଣେ ସ୍ଥାନୀୟ ଲୋକ ଶୁକ୍ରବାର ଟୁନାଙ୍କ ପାଖକୁ ଯାଇ ୧୦୦୦ ଟଙ୍କାରେ ବ୍ରାଉନସୁଗାର କିଣିଥିଲେ। ଏଥିସହ ତାଙ୍କ ପାଖରେ ବହୁ ପୁଡ଼ିଆ କରାଯାଇ ବ୍ରାଉନସୁଗାର ଥିବା ଜଣାପଡ଼ିଥିଲା। ଅବକାରୀ ଟିମ୍‌ ଟୁନାଙ୍କୁ ଧରିବାକୁ ଶନିବାର ସକାଳେ ତାଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଟୁନା ଏହା ଜାଣିପାରି ବ୍ରାଉନସୁଗାର ସହ ବାଥ୍‌ରୁମ୍‌ ଭିତରକୁ ପଶିଯାଇଥିଲେ। ଏହି ସମୟରେ ଅବକାରୀ ଟିମ୍‌ ଚଢ଼ାଉ କରି ଟୁନାଙ୍କୁ କାବୁ କରିଥିଲା। ଏହି ମାମଲାରେ ସମ୍ପୃକ୍ତି ସନ୍ଦେହ କରି ସହଦେବଙ୍କୁ ଅବକାରୀ ଟିମ୍‌ ଅଟକ ରଖିଥିଲା। ହେଲେ ପଚରାଉଚରା ପରେ ମାମଲା ସମ୍ପର୍କିତ ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ତେବେ ଜଳେଶ୍ୱରରୁ ଯେଉଁ ଏଜେଣ୍ଟଙ୍କଠାରୁ ଟୁନା ବ୍ରାଉନସୁଗାର ଆଣୁଥିଲେ ତାଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଭୁବନେଶ୍ୱର ରେଞ୍ଜର ଇନ୍‌ସ୍ପେକ୍ଟର ବିକାଶ କୁମାର ନାୟକ କହିଛନ୍ତି।