ଭାଉଜଙ୍କୁ ହତ୍ୟା କଲେ ଦିଅର

ଖୋର୍ଦ୍ଧା ଅଫିସ,୧୦ା୧୦: ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଦିଅର ହାତରେ ଭାଉଜଙ୍କ ଜୀବନ ଯାଇଛି। ତେବେ ଆକ୍ରମଣକାରୀ ଫେରାର ଅଛନ୍ତି। ମୃତକ ହେଲେ ମିନାକ୍ଷୀ ରାଉତରାୟ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନାରୁ ପ୍ରକାଶ, ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ୩ ଭାଇ ଏକାଠି ଘରେ ରହୁଥିଲେ। କୌଣସି କାରଣକୁ ନେଇ ସୋମବାର ସକାଳେ ସୁବାସଙ୍କ ସହ ଅନ୍ୟ ତିନି ଭାଇଙ୍କ ଝଗଡ଼ା ହୋଇଥିଲା। ପାଟିତୁଣ୍ଡରୁ ଠେଲାପେଲା, ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏହା ପରେ ସୁବାସ ଏବଂ ତାଙ୍କ ଧର୍ମପତ୍ନୀ ମିନାକ୍ଷୀଙ୍କୁ ୩ ଭାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୁବାସ ଗୁରୁତର ହୋଇଛନ୍ତି। ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସୁବାସଙ୍କ ୩ ଭାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।