ବରଯାତ୍ରୀ ବେଶରେ ଆସି ୨ ଲକ୍ଷ ଟଙ୍କାର ଗହଣା ଚୋରି

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜଧାନୀରେ ଲୁଟେରା ଓ ଚୋରଙ୍କ ଉତ୍ପାତ ବଢ଼ି ଚାଲିଥିବାବେଳେ ନୂଆ ନୂଆ ପନ୍ଥା ଆପଣାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି। କେତେବେଳେ ଗ୍ରାହକ ବେଶରେ ତ ଆଉ କେତେ ବେଳେ ଅତିଥି ବେଶରେ ଆସି ଲୁଟ୍‌ପାଟ କରୁଛନ୍ତି। ୨ଜଣ ଚୋର ବରଯାତ୍ରୀ ବେଶରେ ଆସି ଶହୀଦନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ୨ ଲକ୍ଷ ଟଙ୍କାର ଗହଣାଭର୍ତ୍ତି ବ୍ୟାଗ୍‌ ନେଇଯାଇଛନ୍ତି। ରବିବାର ଏହି ଘଟଣା ଘଟିଥିବାବେଳେ ସୋମବାର ବିଶ୍ୱଜିତ ମହାରଣା ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରେ ଚୋରିର ଦୃଶ୍ୟ ରହିଥିବାବେଳେ ଲୁଟେରାଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଚଳାଇଛି। ଜଣେ ଯୁବକ ଅନ୍ୟଜଣେ ନାବାଳକଙ୍କୁ ସାଙ୍ଗରେ ଧରି ଗହଣା ବ୍ୟାଗ ଚୋରି କରି ନେଉଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି। ଅଭିଯୋଗ ଆଧାରରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ଲୁଟେରାଦ୍ୱୟଙ୍କୁ ଧରିବାରେ ସଫଳ ହୋଇପାରିନାହିଁ। ତେବେ ବିଶ୍ୱଜିତ ବାରମ୍ବାର ଥାନାକୁ ଆସି ନିରାଶ ହେବାରୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିସ୍ଥଳେ ଶୁକ୍ରବାର ଚୋରି ବେଳର ଭିଡିଓ ପଦାକୁ ଆସିବା ପରେ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି।
ସୂଚନା ଅନୁଯାୟୀ, ଭଉଣୀ ବାହାଘର ପାଇଁ ବିଶ୍ୱଜିତ୍‌ କେସୁରାସ୍ଥିତ ପଲ୍ଲବୀ ମଣ୍ଡପକୁ ଗତ ରବିବାର ପାଇଁ ବୁକ୍‌ କରିଥିଲେ। ସନ୍ଧ୍ୟାରେ ସେଠାରେ ବିବାହ ଚାଲିଥିବାବେଳେ ଅତିଥିଙ୍କ ଗହଳି ହୋଇଥିଲା। ଭିଡର ସୁଯୋଗ ନେଇ ଜଣେ ଯୁବକ ଅନ୍ୟଜଣେ ନାବାଳକଙ୍କୁ ସାଙ୍ଗରେ ଧରି ଚୋରି କରିବା ପାଇଁ ମଣ୍ଡପକୁ ବରଯାତ୍ରୀ ବେଶରେ ଆସିଥିଲେ। କେଉଁ ଅତିଥିମାନେ କିଭଳି ଗିଫ୍ଟ ଆଣିଛନ୍ତି ତାହା ମଧ୍ୟ ଲୁଟେରାଦ୍ୱୟ ସେଠାରେ ରହି ନଜର ରଖିଥିଲେ। ନାବାଳକ ଜଣକ ଗିଫ୍ଟ ରହୁଥିବା ସ୍ଥାନ ନିକଟରେ ରହିବା ସହ ଘର ବାହାରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ସୂଚନା ଦେଉଥିଲେ। ସୁଯୋଗ ମିଳିବା ପରେ ନାବାଳକ ଜଣକ ବିଶ୍ୱଜିତଙ୍କ ପରିବାର ଲୋକେ ରଖିଥିବା ଏକ ଗହଣା ଭର୍ତ୍ତି ବ୍ୟାଗ୍‌କୁ ନେଇ ଯୁବକଙ୍କ ସହ ଚମ୍ପଟ ମାରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି।