ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ହଜାର ହଜାର ଦର୍ଶକଙ୍କୁ ଭାବପ୍ରବଣ କରିଦେଇଛି। ଭିଡିଓରେ କନ୍ୟା ଜଣକ ହାତରେ ତାଙ୍କ ମୃତ ମା’ଙ୍କ ଫଟୋ ଧରିଛନ୍ତି।

ଭିଡିଓଟି ପାକିସ୍ତାନର ବୋଲି ଜଣାପଡ଼ିଛି। କନ୍ୟା ତାଙ୍କ ମୃତ ମା’ଙ୍କ ଫଟୋ ଧରି ବିବାହ ମଣ୍ଡପକୁ ପ୍ରବେଶ କରିବାବେଳେ ଖୁବ୍‌ ଜୋର୍‌ରେ କାନ୍ଦୁଥିଲେ। ଏକ ଲାଲ୍‌ ରଙ୍ଗର ବ୍ରାଇଡାଲ ଡ୍ରେସ ପିନ୍ଧି ସେ ତାଙ୍କ ପିତାଙ୍କ ସହ ମଣ୍ଡପକୁ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଦୃଶ୍ୟଟି ବେଶ୍‌ ଭାବପ୍ରବଣ।

ଏହି ଭାବପ୍ରବଣ ମୁହୂର୍ତ୍ତର ଫଟୋକୁ ଫଟୋଗ୍ରାଫର ମହା ଓ୍ବାଜାହାତ୍‌ ଖାନ ନାମକ ଜଣେ ୟୁଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯିଏ ଏହାକୁ ଝିଅଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭିଡିଓରେ କନ୍ୟାଙ୍କ ସମ୍ପର୍କୀୟମାନେ ମଧ୍ୟ ଲୁହ ପୋଛି ଦେଇ ତାଙ୍କୁ ସାନ୍ତ୍ୱନା ଦେଉଥିବାର ନଜର ଆସିଛନ୍ତି। ୫୭ ସେକେଣ୍ଡର ଏହି ଭିଡିଓ କ୍ଲିପ୍‌ରେ କନ୍ୟା ଏବଂ ତାଙ୍କ ପିତା ପରସ୍ପରକୁ ଆଲିଙ୍ଗନ କରିଥିଲେ।

ଦୁଇଦିନ ତଳେ ଭିଡିଓଟି ଶେୟାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୨.୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Share