ବରକନ୍ୟାଙ୍କୁ ବେଦିରୁ ଉଠାଇନେଲା ପୋଲିସ

ରାଉରକେଲା ଅଫିସ,୨୧ା୫: ପ୍ରଥମ ସ୍ତ୍ରୀ ଓ ତାଙ୍କର ଏକ ଝିଅ ଥିବା ସତ୍ତ୍ୱେ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ପୋଲିସ ବାହାଘର ବେଦିରୁ ବର ଓ କନ୍ୟାଙ୍କୁ ଉଠାଇ ନେଇଛି। ଏଭଳି ଏକ ଘଟଣା ଘଟିଛି ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ଅଞ୍ଚଳରେ।
ପୋଲିସ ସୂଚନା ଅନୁସାରେ, ଗତ ୨୦୧୩ ମସିହାରେ ରାଉରକେଲା ମାଲଗୋଦାମ ଅଞ୍ଚଳର ସରସ୍ବତୀ ସରକାର(୩୨) ଜଲଦା ସି ବ୍ଲକ ଅଞ୍ଚଳର ଆନନ୍ଦ ଶର୍ମା(୩୮)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସରସ୍ବତୀଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଏହାପରେ ଶ୍ୱଶୁର ଘର ଲୋକେ ସରସ୍ବତୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ସରସ୍ବତୀ ଏସବୁ କଥା ତାଙ୍କ ସ୍ବାମୀ ଆନନ୍ଦଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ବରଂ ଆନନ୍ଦ ତାଙ୍କୁ ଅଧିକ ମାରଧର କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସରସ୍ବତୀ ଶ୍ୱଶୁର ଘର ଛାଡ଼ି ନିଜ ୫ ବର୍ଷର ଝିଅକୁ ଧରି ବାପ ଘରେ ରହୁଥିଲେ। ଅନ୍ୟପଟେ ଆନନ୍ଦ ପ୍ରଥମ ସ୍ତ୍ରୀ ସରସ୍ବତୀଙ୍କୁ ଛାଡପତ୍ର ନ ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଶୁକ୍ରବାର ରାଉରକେଲା ହନୁମାନ ବାଟିକା ସ୍ଥିତ ମଣ୍ଡପରେ ଆନନ୍ଦ ଓ ତାଙ୍କ ପ୍ରେମିକା ଦ୍ୱିତୀୟ ବିବାହ କରୁଥିଲେ। ଖବର ପାଇ ଆନନ୍ଦଙ୍କ ପ୍ରଥମ ସ୍ତ୍ରୀ ସରସ୍ବତୀ ଉଦିତନଗର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବେଦୀରୁ ଉଭୟ ବର ଓ କନ୍ୟାଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏ ନେଇ ଏକ ମାମଲା (ନଂ.୧୧୫।୨୨) ରୁଜୁ ହୋଇଛି।