ବିବାହର ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର: ଅନ୍ୟତ୍ର ବିବାହ କରି ଘରକୁ ଫେରିଲେ ବର

ଗୋପ,୯।୪(ଡି.ଏନ୍‌.ଏ.): ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର। ଏଥିପାଇଁ ସବୁପ୍ରକାର ନୀତି କାର୍ଯ୍ୟ ସାରି ବର ସଜେଇ ହୋଇ ମଣ୍ଡପକୁ ଆସିଥିଲେ। ହେଲେ ବିବାହ ପାଇଁ କନ୍ୟାକୁ ଖୋଜା ପଡ଼ିଥିବାବେଳେ ମୁହୂର୍ତ୍ତର ଠିକ୍‌ ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର ହୋଇଯାଇଥିବା ଶୁଣିଥିଲେ। ଏହି କଥା ଶୁଣି ବରପକ୍ଷ ଘରର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ବର ଅନ୍ୟତ୍ର ଏକ ଝିଅକୁ ବିବାହ କରି ଘରକୁ ଫେରିଛି। ଏଭଳି ଅସ୍ବାଭାବିକ ଘଟଣା ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ଥାନା ଅଧୀନ ବେଣୀପୁର ଗ୍ରାମର ଜଣେ ଯୁବକଙ୍କ ବିବାହ କଟକ ଜିଲା ଅନ୍ତର୍ଗତ ଅଡଶପୁର ନିକଟସ୍ଥ ଏକ ଗ୍ରାମରେ ହେବାକୁ ସ୍ଥିର ହୋଇଥିଲା। ବିବାହ ତାରିଖ ଧାର୍ଯ୍ୟ ହେବା ପରେ ବୁଧବାର ସକାଳ ୭ଟା ବେଳେ ଯୁବକ ଜଣଙ୍କ ବାଡ଼ୁଅ ପାଣିରେ ଗାଧୋଇ ନୀତିରୀତି ଅନୁସାରେ ପରିବାର ସହ ବରବେଶ ସାଜି ବିବାହ ପାଇଁ ଯାଇଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ ଅଡ଼ଶପୁର ନିକଟସ୍ଥ ଏକ ମନ୍ଦିରରେ ବିବାହ ହେବାର ଥିବାରୁ ବର ସହିତ ପରିବାର ବର୍ଗ ମଧ୍ୟ ସେଠାରେ ପହଞ୍ଚି ଥିଲେ। ମାତ୍ର ବିବାହ ହେବାର ଥିବା ମନ୍ଦିର ନିକଟରେ କନ୍ୟା ପକ୍ଷର କେହି ନ ଥିବାରୁ ବରପକ୍ଷଙ୍କ ସନ୍ଦେହ ହୋଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ବର ଶୁଣିବାକୁ ପାଇଲେ ଯେ କନ୍ୟା ଫେରାର ହୋଇଯାଇଛନ୍ତି। ଏହି କଥା ସମସ୍ତଙ୍କୁ ଚକିତ କରିଥିବାବେଳେ ବର ବେଶରେ ଥିବା ବର ମଧ୍ୟ ମନୋବଳ ଭାଙ୍ଗିଯାଇଥିଲା। ପରେ ବର ଶିଶୁପାଳ ହୋଇ ଫେରିବା ନେଇ ଦୀର୍ଘ ଘଣ୍ଟା ଆଲୋଚନା ହେବାପରେ ବନ୍ଧୁବାନ୍ଧବ ଭିତରେ କନିଆଁ ଖୋଜା ଆରମ୍ଭ ହୋଇ ଶେଷରେ ଆଉ ଜଣେ କନ୍ୟାଙ୍କୁ ସାରେ ବିବାହ କରି ଗାଁକୁ ଫେରିଥିଲେ। ଏପରି ଏକ ଘଟଣା ଏବେ ଗୋପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ବର ଆଉ ଜଣଙ୍କୁ ବିବାହ କରି ସଂସାର ଗଢ଼ି ଥିବାରୁ ଭଗବାନଙ୍କ ସବୁ ଲୀଳା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।