ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି ଅନୁସାରେ ପରିବାର ଏବଂ ସମ୍ପର୍କୀୟଙ୍କ ସହ ବରମାନେ ପହଞ୍ଚତ୍ଲେ। ବିବାହ ରୀତିନୀତି ଆରମ୍ଭ ହେବାର ଥିଲା, ହେଲେ କନ୍ୟାମାନେ ଆସିଲେ ନାହିଁ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ବରମାନେ ଫେରିଥିଲେ। ଗଣବିବାହ ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପ୍ରକୃତରେ ଏକ ଯୋଜନାବଦ୍ଧ ପ୍ରତାରଣା ବୋଲି ଜଣାପଡ଼ିଥିଲା। ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୨ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଖୋଜୁଛି।
ମିଳିଥିବା ସୂଚନାନୁସାରେ, ଯେଉଁ ଯୁବକମାନେ ବିବାହ ପାଇଁ କନ୍ୟା ପାଉ ନ ଥିଲେ, ଅଭିଯୁକ୍ତମାନେ ସେହି ପରିବାରକୁ ଟାର୍ଗେଟ କରୁଥିଲେ। ସେମାନଙ୍କ ଆବେଗିକ ଦୁର୍ବଳତାର ସୁଯୋଗ ନେଇ, ସୋସିଆଲ ମିଡିଆରୁ ଡାଉନ୍ଲୋଡ ହୋଇଥିବା ଯୁବତୀମାନଙ୍କ ଫଟୋ ଦେଖାଇ ଇନ୍ଦୋରର ଏକ ଅନାଥ ଆଶ୍ରମର ଝିଅମାନଙ୍କ ସହ ବିବାହ କରାଇଦେବା ନାମରେ ସେମାନଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ମେ ୨୫ ତାରିଖରେ ଦେବାସ୍ଠାରେ ବିବାହ ସମ୍ପନ୍ନ ହେବ ବୋଲି ପରିବାରଗୁଡ଼ିକୁ କୁହାଯାଇଥିଲା। କେତେକ ଯୁବକଙ୍କଠାରୁ ୧୨ହଜାରରୁ ୨୦ହଜାର ଟଙ୍କା ନିଆଯାଇଥିବାବେଳେ କେତେକଙ୍କ ଠାରୁ ୨୫ହଜାର ଟଙ୍କା ମଧ୍ୟ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଜାଲିଆତିରେ ସମୁଦାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅନୁମାନ କରାଯାଉଛି। ଇନ୍ଦୋରର ଏକ ଅନାଥ ଆଶ୍ରମରୁ ଯୁବତୀମାନଙ୍କୁ ବିବାହ ପାଇଁ ଦେବାସ ଅଣାଯିବ ବୋଲି ଅଭିଯୁକ୍ତମାନେ ପରିବାରଗୁଡ଼ିକୁ ଆଶ୍ୱାସନା ଦେଇଥିଲେ। ମେ ୨୪ ତାରିଖରେ ମାତା ଟେକ୍ରି ଦର୍ଶନ ଏବଂ ତା’ପରେ ରାଧାଗଞ୍ଜର କ୍ଲବ ଗ୍ରାଉଣ୍ଡରେ ରହିବା ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ସେମାନଙ୍କୁ କୁହାଯାଇଥିଲା। ସେହି ଅନୁସାରେ ଗତ ୨୪ ତାରିଖରେ ବିଭିନ୍ନ ଜିଲାରୁ ବର ଏବଂ ସେମାନଙ୍କ ସମ୍ପର୍କୀୟମାନେ ରାଧାଗଞ୍ଜ କ୍ଲବ ଗ୍ରାଉଣ୍ଡରେ ପହତ୍ିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସକାଳ ୮ଟାରୁ ବିବାହ ପୋଷାକ ପିନ୍ଧି ପହଞ୍ଚତ୍ୟାଇଥିଲେ। କିନ୍ତୁ ଉକ୍ତ ସ୍ଥାନରେ କୌଣସି ବିବାହ ମଣ୍ଡପ ନ ଥିଲା କିମ୍ବା ବିବାହ ଉତ୍ସବ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିଲା। କୌଣସି କନ୍ୟା ବିବାହ ପାଇଁ ନ ଆସିବାରୁ ପରିବାର ଲୋକେ ଦୁଇ ଆୟୋଜକ ମୁକେଶ ବୈରାଗୀ ଏବଂ ତାଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଥିଲେ। ଏହି ଦମ୍ପତି ସେମାନଙ୍କୁ ଆଶ୍ୱାସନା ଦେଇ ଚାଲିଥିଲେ ଯେ ଇନ୍ଦୋରରୁ କନ୍ୟାମାନେ ଆସୁଛନ୍ତି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ଗୋଟିଏ ପରେ ଗୋଟିଏ ବାହାନା କରି ଅଟକାଇ ରଖାଯାଇଥିଲା। ହେଲେ ରାତି ପ୍ରାୟ ୧୦ଟା ବେଳକୁ କୌଣସି କନ୍ୟା ବିବାହ ପାଇଁ ନ ଆସିବାରୁ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପୋଲିସ ଅଭିଯୁକ୍ତ ମୁକେଶ ବୈରାଗୀ, ସୁନୀତା ବୈରାଗୀ, ଦିନେଶ ବୈରାଗୀ ଏବଂ ନରସିଂହ ଦାସ ବୈରାଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁକେଶ ଏବଂ ସୁନୀତାଙ୍କୁ ଗିରଫ କରାଯାଇଥିବାବେଳେ ଦୀନେଶ ଏବଂ ନରସିଂହ ଦାସଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ପଠାଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟବୀର ଭଦୋରିଆ କହିଛନ୍ତି, ମେ ୨୪ସାରେ ପୋଲିସ ଏହି ବିଷୟରେ ସୂଚନା ପାଇବା ପରେ ତୁରନ୍ତ ହସ୍ତକ୍ଷେପ କରି ଅଭିଯୋଗକାରୀ ଅଭିଷେକଙ୍କ ସହ କଥା ହୋଇଥିଲା ଏବଂ ପ୍ରତାରଣା ସମ୍ବନ୍ଧୀୟ ’ଭାରତୀୟ ନ୍ୟାୟ ସଂହିତା’ର ଦଫା ୩୧୮(୪) ଅନୁଯାୟୀ ମାମଲା ରୁଜୁ କରିଥିଲା।