Categories: ଜାତୀୟ

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କୁ ଦେଖି ବିବାହ ପାଇଁ ମନା କଲେ ବର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକ୍ଷ୍ନୌ,୨୬ା୬: ଝିଅଟିକୁ ବିବାହ କରାଇବା ଯେ, କେତେ କଷ୍ଟକର ତାହା ଜଣେ ପିତା ହିଁ ବେଶ୍‌ ଭଲ ଭାବେ ଜାଣିଥାନ୍ତି। ଝିଅ ବିବାହ କିପରି ଭଲରେ ଭଲରେ ହୋଇ ଶାଶୁଘରକୁ ଯାଉ ସେନେଇ ପରିବାର ଲୋକେ ଚିନ୍ତାରେ ଥାନ୍ତି। କିଛି ବାଧା ବିଘ୍ନ ନ ହେଉ। ବରଯାତ୍ରୀ ଭଲରେ ଖାଇ ପିଇ ଯାଆନ୍ତୁ ଏକଥା ପ୍ରତ୍ୟେକ ଝିଅର ପିତା ଚିନ୍ତା କରିଥାନ୍ତି। ଏତେ ସବୁ ପରେ ଯଦି ବିବାହ ଦିନ ବର ବାହା ହେବାକୁ ଆସି ମନା କରିଦେବ ତେବେ ତାହା କେତେ କଷ୍ଟଦାୟକ ଆଉ ନିନ୍ଦନୀୟ ଜଣେ ପିତା ହିଁ ଅନୁଭବ କରିଥାନ୍ତି।

ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ॥ ଏହି ଘଟଣା ଉସରାହର ପୋଲିସ ଷ୍ଟେଶନ ଅଞ୍ଚଳର କୁର୍ଖା ଗ୍ରାମରୁ ଆସିଛି। ଏଠାରେ ଏକ ପରିବାର କନୌଜର ଜଣେ ଯୁବକ ସହିତ ଝିଅର ବିବାହ ସ୍ଥିର କରିଥିଲେ। ଜୁନ୍‌ ୨୪ରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ବର ଶୋଭାଯାତ୍ରା ପହଞ୍ଚିଥିଲା। ବରପକ୍ଷଙ୍କୁ କନ୍ୟାଘର ପକ୍ଷରୁ ସ୍ବାଗତ କରିବା ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିଲା। ବରଯାତ୍ରୀ ଭୋଜି ବି ଖାଇଲେ। ବିବାହ ଆରମ୍ଭ ହୋଇଥିଲା। ଏହି ସମୟରେ କନ୍ୟାକୁ ବରଣମାଳା ପିନ୍ଧାଇବା ବେଳେ ବର ଅଭିଯୋଗ ଆଣିଲେ ସେ ଯେଉଁ ଝିଅକୁ ଦେଖିବାକୁ ଆସିଥିଲେ ଏ ସେ ଝିଅ ନୁହନ୍ତି। ଜଣଙ୍କୁ ଦେଖାଇ ଆଉ ଜଣଙ୍କ ସହ ବାହାଘର କରୁଛନ୍ତି। ତେଣୁ ସେ ବିବାହ କରିବେନି ବୋଲି ମନା କରି ବରଯାତ୍ରୀଙ୍କ ସହ ଫେରି ଯାଇଥିଲେ।

ଏହା ପରେ କନ୍ୟାଙ୍କ ପିତା ପୋଲିଶ ଷ୍ଟେଶନ ଯାଇଥିଲେ। ପୋଲିସ ବର ଏବଂ ତାଙ୍କ ପିତାଙ୍କୁ ଥାନାକୁ ଡକାଇଥିଲା। ପଚରାଉଚରା କରିବାରୁ ବରପକ୍ଷ ଏପରି କନ୍ୟା ବଦଳ ଅଭିଯୋଗ ଆଣିଥିଲେ। ଏହାକୁ ଅସ୍ବୀକାର କରିଥିଲେ କନ୍ୟାପକ୍ଷ। ତେବେ କନ୍ୟାଙ୍କ ପିତା କହିଛନ୍ତି, ସେମାନେ ଅଧିକ ଯୌତୁକ ଦାବି କରିଥିଲେ। ଦେଇ ନ ପାରିବାରୁ ବିବାହ ପାଇଁ ଅରାଜି ହୋଇଥିଲେ। ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ଅଟେ। ଅନ୍ୟପକ୍ଷରେ କନ୍ୟାଘରର ଏତେ କ୍ଷତି ହୋଇଥିବାରୁ ବରପକ୍ଷ ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ରାଜି ହୋଇଥିଲେ। ପରେ ସମସ୍ୟାର ସମାଧାନ ହୋଇଥିଲା।

Share