ଅଧିକାର ମାଗିଲେ ବୋଲି.. ପ୍ରେମିକାଙ୍କୁ ନଦୀ ବ୍ରିଜ୍‌ ଉପରୁ ଫିଙ୍ଗି ଚାଲିଗଲେ ପ୍ରେମିକ

କେଗାଁ,୧୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ନିକଟ ଉଦନ୍ତି ନଦୀ ବ୍ରିଜ ଉପରୁ ନିଜ ପ୍ରେମିକାଙ୍କୁ ଫିଙ୍ଗି ଦେଇ ପ୍ରେମିକ ଫେରାର ହୋବ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ଘଟଣାକୁ ନେଇ ଯୁବତୀଙ୍କ ଘରଲୋକେ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, କେଗାଁ ଥାନା ଖଲିଆପାଲି ପଞ୍ଚାୟତ ଖଲିଆପାଲି ଗ୍ରାମର ଚିତ୍ରସେନ ଚଲାନଙ୍କ ପୁଅ ଡୋଲମଣି ଚଲାନଙ୍କ ମିରମିର ଗ୍ରାମର ଉକ୍ତ ଯୁବତୀଙ୍କ ସହ ୫ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ସ୍ତ୍ରୀର ପରିଚୟ ଦେବାକୁ କହି ତାଙ୍କ ଘରୁ ନେଇ ଫେରାର ହୋଇଯାଇଥିଲେ। ସେ ବଲାଙ୍ଗୀରର ଟିଟଲାଗଡ଼ ଓ ସିନ୍ଦେକେଲା ଅଞ୍ଚଳରେ ଘର ଭଡ଼ା କରି ଯୁବତୀଙ୍କୁ ରଖିଥିଲେ। ହେଲେ ସେଠାରେ ଯୁବତୀଙ୍କୁ ଏକା ଛାଡ଼ି ନିଜ ଘର ଖଲିଆପାଲିରେ ଆସି ନିଜ ପରିବାର ସହ ରହୁଥିବାରୁ ଉକ୍ତ ଝିଅ ମଧ୍ୟ ତାଙ୍କ ସହ ରହିବାକୁ ଜିଦ ଧରିଥିଲେ। ଏଥିରେ ରାଗି ଯାଇ ଯୁବକଜଣଙ୍କ ଝିଅଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଫଳରେ ଯୁବତୀ ଚୁପ୍‌ ରହିଯାଇଥିଲେ। ହେଲେ ଗତ ୧୪ ତାରିଖ ଦିନ ଉକ୍ତ ଯୁବତୀଙ୍କୁ ସାଙ୍ଗରେ ଆଣି ଉକ୍ତ ବ୍ରିଜ ଉପରେ ବାଇକ୍‌ ରଖିଥିଲେ। ସେଠାରେ ଉଭୟ କିଛି ସମୟ ଛିଡ଼ା ହେବା ପରେ ଡୋଲମଣି ଯୁବତୀଙ୍କ ହାତକୁ ବାନ୍ଧି ଦେଇଥିଲେ। ପରେ ତାଙ୍କୁ ବ୍ରିଜ୍‌ ତଳକୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ହେଲେ ନଦୀରେ ପାଣି କମ୍‌ ଥିବାରୁ ଯୁବତୀ ରକ୍ଷା ପାଇଯାଇଥିଲେ। ସେ ପହଁରି ପହଁରୀ ନଦୀରୁ ବାହାରି ସେ ଯେକୌଣସି ପ୍ରକାରେ ଘରେ ପହଞ୍ଚିଥିଲେ। ଘରଲୋକେ ତାଙ୍କୁ ଦେଖି ଚକିତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପରିବାରଲୋକେ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଡୋଲମଣି ଯୁବତୀଙ୍କଠାରୁ ସୁନାଗହଣା ସହ ଟଙ୍କା ମଧ୍ୟ ନେଇ ଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷେ ସମ୍ପୃକ୍ତ ପ୍ରେମିକ ତଥା ଡୋଲମଣି ଫେରାର ଥିବା ସୂଚନା ମିଳିଛି।