ବ୍ଲେଡ୍‌ରେ ବେକ କାଟିଥିଲେ ପ୍ରେମିକ

ମାଧପୁର/ଆଠମଲ୍ଲିକ, ୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା କିଆକଟା ଥାନା ଓରଡା କେରାଣ୍ଡି ନାଳ ନିକଟରୁ ଗତ ସୋମବାର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ କହିବା ସହ ଅଭିଯୁକ୍ତ ହଣ୍ଡପା ଥାନା କୁରୁମଟାପ ଗ୍ରାମ ଆଡିକଟା ସାହିର ବାପୁନ ସାହୁ(୨୫)ଙ୍କୁ ବୁଧବାର ଗିରଫ କରାଯାଇଛି। କିଆକଟା ଆଇଆଇସି ଓନାମ ଲାକ୍ରାଙ୍କ ସୂଚନା ମୁତାବକ, ବାପୁନ ବିବାହିତ ହୋଇଥିବାବେଳେ କିଶୋରନଗର ଥାନା ଅଞ୍ଚଳର ସମ୍ପୃକ୍ତା ଛାତ୍ରୀଙ୍କ ସହ ୬ ମାସ ହେଲା ପ୍ରେମ ସମ୍ପର୍କ ରହିଥିଲା। ଛାତ୍ରୀ ଜଣକ ବାହାଘର ପାଇଁ ଜିଦ୍‌ ଧରିଥିଲେ। ତେଣୁ ଘଟଣା ଦିନ ରାତିରେ ବାପୁନ ଛାତ୍ରୀଙ୍କୁ ବାହା ହେବାକୁ କହି ଘରୁ ଡାକିନେଇଥିଲେ। ଓରଡା କେରାଣ୍ଡି ନାଳ ନିକଟରେ ଉଭୟେ ଅଟକି ଥିଲେ। ଛାତ୍ରୀ ଜଣକ ବାପୁନଙ୍କ ସହିତ ତାଙ୍କ ଘରକୁ ଯିବାକୁ ଜିଦ୍‌ କରିଥିଲେ। ବାପୁନ ବିବାହିତ ହୋଇଥିବାରୁ ସେ ଘରକୁ ନେବାକୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପୁନ ଏକ ବ୍ଲେଡରେ ଛାତ୍ରୀଙ୍କ ବେକ କାଟି ହତ୍ୟା କରିଥିବା ଆଇଆଇସି ପ୍ରକାଶ କରିଛନ୍ତି। ଗିରଫ ପରେ ତାଙ୍କୁ ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି।