Categories: ଖେଳ

ଦିଲ୍ଲୀର ମୁଣ୍ଡବିନ୍ଧା ବଢାଉଛନ୍ତି ଏହି ବୋଲର୍‌

ଦୁବାଇ,୧୩।୧୦: ଆଇପିଏଲ ୨୦୨୧ର ଫାଇନାଲରେ କେଉଁ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ତାହା ଆଜି ସ୍ପଷ୍ଟ ହେବ। ଏହି ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଶାରଜାଠାରେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ଯେଉଁ ଦଳ ଏହି ମ୍ୟାଚ ଜିତିବ ସେ ଫାଇନାଲ ପାଇଁ ଟିକେଟ କାଟିବ। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇଠାରୁ ଦିଲ୍ଲୀ ପରାଜୟର ସାମ୍ନା କରିଥିଲା। ଏବେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କ ପାଇଁ ଫାଇନାଲରେ ପ୍ରବେଶ କରିବାର ଏହା ହେଉଛି ଶେଷ ସୁଯୋଗ। ଗତ କିଛି ବର୍ଷ ଧରି ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛି। ଦିଲ୍ଲୀ ହେଉଛି ଏକମାତ୍ର ଦଳ ଯିଏ ଲଗାତାର ୩ ବର୍ଷ ଧରି ପ୍ଲେ ଅଫ ଖେଳୁଛି। ଦଳର ସବୁଠାରୁ ବଡ ଶକ୍ତି ହେଉଛି ଆବଶ୍ୟକତା ଅନୁଯାୟୀ ସର୍ବୋତ୍ତମ ଏକାଦଶ ବାଛିବା। କିନ୍ତୁ କ୍ୱାଲିଫାୟର -୧ରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହେବା ପରେ ଦଳର ସନ୍ତୁଳନ ବିଗିଡିଥିବା ଥିବା ଜଣାପଡିଛି।
ଏଥି ସହିତ ଆର ଅଶ୍ୱିନଙ୍କ ବୋଲିଂ ଫର୍ମ ମଧ୍ୟ ଦଳର ମୁଣ୍ଡବିନ୍ଧା ବଢାଉଛି। ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳାଯାଇଥିବା ୭ଟି ମ୍ୟାଚରେ ଅଶ୍ୱିନ ମାତ୍ର ୪ ଉଇକେଟ ନେଇଛନ୍ତି। ଏଭଳି ପରିସ୍ଥିତିରେ ପନ୍ତ କେକେଆର ବିପକ୍ଷରେ ଅଶ୍ୱିନଙ୍କୁ ସୁଯୋଗ ଦେବେ କି ନାହିଁ ବୋଲି ପ୍ରଶ୍ନ ଉଠିଛି। ୟୁଏଇରେ ଅଶ୍ୱିନ ଏପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇନାହାଁନ୍ତି।

Share