ବେକେ ପାଣିରେ ଶ୍ମଶାନକୁ ନେଲେ ମୃତଦେହ

ବଅଁରପାଳ,୧୮।୭(ସୁବାସ ସାହୁ): ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ନେବାକୁ ହେଲେ ଯୋର ପାରିହେବାକୁ ପଡ଼େ। ଉକ୍ତ ଯୋର ଉପରେ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାବେଳେ ଲଗାଣ ବର୍ଷା ଯୋଗୁ ତାହା ଉଚ୍ଛୁଳି ପଡ଼ିଥିଲା। ପାଣିର ସ୍ରୋତ ମଧ୍ୟ ପ୍ରଖର ଥିଲା। ଏପରି ଅବସ୍ଥାରେ ଏକ ମୃତଦେହ ସତ୍କାର ପାଇଁ ପରିବାର ଲୋକେ ଓ ସାହିଭାଇଙ୍କୁ ସୂଅ ମଧ୍ୟରେ ବେକେ ପାଣିରେ ପଶି ଯୋର ପାରିହେବାକୁ ପଡ଼ିଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ବାଲିସାହି ହରିଜନ ବସ୍ତିରୁ ଏପରି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ବାଲିସାହି ହରିଜନ ବସ୍ତିର କାଳିଆ ଗୋଚ୍ଛାୟତଙ୍କ ପରଲୋକ ହୋଇଯାଇଥିଲା। ନୂଆହତା ଜାଲଗୁଟିଆ ଶ୍ମଶାନ ଯୋର ଆରପଟେ ଥିବାରୁ ସେଠାକୁ ମୃତଦେହ କିପରି ନିଆଯିବ ତାହାକୁ ନେଇ ସାହିବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଥିଲା। ପୋଲ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଲଗାଣ ବର୍ଷା ଯୋଗୁ ତହାର କିଛି ଅଂଶ ଭାସିଯାଇଥିଲା। ଫଳରେ ମୃତଦେହ ନେଇ ଶ୍ମଶାନରେ ପହଞ୍ଚିବା ବେଶ୍‌ କଷ୍ଟକର ହୋଇପଡ଼ିଥିଲା। ଶେଷରେ ସ୍ଥାନୀୟ ଲୋକେ ଯୋରର ଉଭୟପାର୍ଶ୍ୱ ଗଛରେ ଦଉଡ଼ି ବାନ୍ଧି ସେହି ଦଉଡ଼ିକୁ ଆଶ୍ରାକରି ପ୍ରଖର ସ୍ରୋତ ପାରହୋଇ ମୃତଦେହ ଶ୍ମଶାନରେ ପହଞ୍ଚାଇ ସତ୍କାର କରିଥିଲେ। ଅସମ୍ପୂର୍ଣ୍ଣ ପୋଲ ଓ ବିକଳ୍ପ ଯାତାୟାତ ବ୍ୟବସ୍ଥାର ଅଭାବ ଯୋଗୁ ବେଳେବେଳେ ଏପରି ଭାବେ ଜୀବନକୁ ବିପଦରେ ପକାଇବାକୁ ପଡ଼ୁଛି ବୋଲି ସ୍ତାନୀୟ ଲୋକେ କହିଛନ୍ତି।
ତୁରନ୍ତ କିପରି ପୋଲ ନିର୍ମାଣ ଶେଷ ହେବ ସେ ଦିଗରେ ସ୍ଥାନୀୟ ବିଧାୟକ, ପଞ୍ଚାୟତ ପ୍ରତିନିଧି ଓ ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Odisha’s No.1 Odia Daily

Share