ଷ୍ଟେଶନ ନିକଟରୁ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ

ବାରିପଦା ଅଫିସ, ୨।୧: ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ରେଳଷ୍ଟେଶନ ନିକଟରୁ ଶନିବାର ସକାଳେ ଜଣେ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ପଢୁଆ ପଞ୍ଚାୟତର ଭଗବାନ ମହାନ୍ତି।
ଭଗବାନ ରେଳ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ଗତକାଲି ରାତିରେ ଆଉ ଜଣେ ରେଳ କର୍ମଚାରୀ ତାଙ୍କୁ ଘରୁ ଡାକି ନେଇଥିଲେ ବୋଲି ଜଣାପଡ଼ିଛି। ଖବର ପାଇଁ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ ।