ପଥର ସନ୍ଧିରୁ ମିଳିଲା ନାବାଳିକାଙ୍କ ମୃତଦେହ

ସମ୍ବଲପୁର,୫।୧୦(ବ୍ୟୁରୋ): ସମ୍ବଲପୁର ଜିଲା ଦଲେଇପଡ଼ା ମହାନଦୀ ଘାଟରେ ସୋମବାର ଏକ ପରିବାର ୩ ଜଣ ସଦସ୍ୟ ଭାସିଯାଇଥିଲେ। ତେବେ ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନାବାଳିକା ଝିଅ ନିଖୋଜ ଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ପ୍ରାୟ ୫୦ ଫୁଟ ଗଭୀର ପଥର ସନ୍ଧିରୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ପେନ୍‌ସନ୍‌ପଡ଼ାର ମହମ୍ମଦ ଅଲତାଫ ତାଙ୍କର ୧୫ ବର୍ଷୀୟ ପୁଅ ମହମ୍ମଦ ଅଫତାବ ଓ ୧୩ ବର୍ଷର ଝିଅ ରୁକସାନା ବେଗମଙ୍କ ସହିତ ମହାନଦୀର ଦଲେଇପଡ଼ା ଘାଟକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ତିନି ଜଣକ ଯାକ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସୋମବାର ରାତିରେ ଅଲତାଫ ଓ ତାଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ହେଲେ ଝିଅର ପତ୍ତା ମିଳି ନ ଥିବା ବେଳେ ସକାଳେ ତାଙ୍କୁ ଉଦ୍ଧାର କରାଯାଇଛି।