କୋଠରୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ଉମରକୋଟ, ୧୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଭାମୀନ ପଞ୍ଚାୟତ ବାଟିବେଡା ଗ୍ରାମରେ ୨ଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ମିଳିଥିବା ବେଳେ ଯୁବତୀଙ୍କ ମୃତଦେହ ଚଟାଣରେ ପଡିଥିଲା। ଉମରକୋଟ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ପୋଲିସ ସୂଚନାନୁଯାୟୀ, ବାଟିବେଡା ଗ୍ରାମ ମାଳିସାହିର ସନପତ ମାଳି(୨୨)ଙ୍କର ପାଖ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କର ବିବାହ ମଧ୍ୟ ଠିକ୍‌ ହୋଇଥିଲା। ବିବାହ ପୂର୍ବରୁ ଯୁବତୀ ଯୁବକ ଏକାଠି ରହିପାରିବା ନେଇ ମାଳି ଜାତିର ପରମ୍ପରା ଅଛି। ଉକ୍ତ ପରମ୍ପରା ଅନୁଯାୟୀ ଯୁବତୀ ଜଣଙ୍କ ୪ମାସ ହେବ ଯୁବକଙ୍କ ଘରେ ରହି ଆସୁଥିଲେ। ବୁଧବାର ଯୁବତୀଙ୍କ ଭାଇ ତାଙ୍କୁ ନେବାକୁ ଯୁବକଙ୍କ ଘରକୁ ଆସିଥିଲେ। ଏହାକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସନପତ ପ୍ରେମିକାଙ୍କୁ ତାଙ୍କ ଘରକୁ ଛାଡି ନ ଥିଲେ। ଖାଇପିଇ ଉଭୟ ଶୋଇଥିଲେ। ସକାଳୁ ଡେରି ପର୍ଯ୍ୟନ୍ତ ଘର କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗିବା ପରେ ଯୁବତୀଙ୍କ ମୃତଦେହ ଘର ଚଟାଣରେ ଓ ଯୁବକଙ୍କର ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଖବରପାଇ ଉମରକୋଟ ଅତିରିକ୍ତ ଥାନାଧିକାରୀ ଲିମାରାଜ ପ୍ରଧାନ, ଏଏସ୍‌ଆଇ ଶରତ ଚନ୍ଦ୍ର କୁଟ୍ରକା ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉମରକୋଟ ତହସିଲଦାର ଏନ୍‌.ଜଗତଜୀବନ ଚୌଧୁରୀଙ୍କ ଉପସ୍ଥିତିରେ ମୃତଦେହକୁ ଉମରକୋଟ ହସ୍ପିଟାଲ୍‌କୁ ଅଣାଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଉମରକୋଟ ଥାନା ପୋଲିସ କେସ୍‌ ନଂ. ୩୯/୨୨, ୪୦/୨୨ରେ ମାମଲା ରୁଜୁ କରିଛି।