ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର ପାତ୍ର ଅପହରଣ କରାଯାଇ ହତ୍ୟା କରାଯାଇଥିଲା। ସେହିପରି ମେ’ ୨୯ରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଶାନ୍ତି ଦାସ ନାମକ ଜଣେ ମହିଳାଙ୍କ ଗଳା ଓ ମୁଣ୍ଡରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ସେହିପରି ମେ’ ୩୦ ରାତିରେ ଗୋଶାଣିନୂଆଗାଁ ଥାନା ଅନ୍ତର୍ଗତ ଗିରିରୋଡ୍ ଗୀତାଭବନରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି। ଏକ ପରିତ୍ୟକ୍ତ ଘରେ ମୃତଦେହ ପଡ଼ିଥିବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତାଙ୍କର ପରିଚୟ ମିଳିପାରିନାହିଁ। ଗୋଟିଏ ପଟେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ପୋଲିସ ଗତ ୧୦ ଦିନ ଭିତରେ ୫ ଜଣଙ୍କୁ ଏନକାଉଣ୍ଟର କରି ଘାୟଲ କରିଛି। ସେହିପରି ୧୦୦ ଜଣ ପେଷାଦାର ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି।
ସେହିପରି ଜେଲ ଫେରନ୍ତା ଦୁର୍ଦ୍ଦାନ୍ତଙ୍କୁ ନିଜ ସ୍କାନରରେ ନେଇ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି। ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳାକୁ ପ୍ରତିହତ କରିବା ପାଇଁ ପୋଲିସ ମହାନିର୍ଦେଶକ ବ୍ରହ୍ମପୁରକୁ ଅଧିକ ୫ପ୍ଲାଟୁନ୍ ପୋଲିସ ପଠାଇଛନ୍ତି। ପୋଲିସ ଫୁଟ୍ ପାଟ୍ରୋଲିଂ କଡ଼ାକଡ଼ି କରୁଛି। ଏହା ସତ୍ତ୍ୱେ ଜଣେ ଯୁବକଙ୍କୁ ଶନିବାର ରାତିରେ ହତ୍ୟା ଘଟଣା ଏବେ ପୋଲିସ ପାଇଁ ପୁଣି ମୁଣ୍ଡବ୍ୟଥାର କାରଣ ପାଲଟିଛି। ହତ୍ୟା ଘଟଣାସ୍ଥଳରେ ସିସିଟିଭି ଫୁଟେଜ୍ ନାହିଁ। ଉକ୍ତ ଅଞ୍ଚଳରେ ଜଣଙ୍କ ଘରେ କେବଳ ସିସି କ୍ୟାମେରା ଲାଗିଛି। ହେଲେ ଦୁଇମାସ ହେଲା ତାହା ଅକାମି ହୋଇପଡ଼ିଛି।