ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର ନଅ ଦିନ ପରେ ମୃତ ଶିଶୁର ମୃତଦେହକୁ ମାଟି ତଳୁ ଖୋଳି ବାହାର କରାଯାଇଛି। ମୃତ ଶିଶୁର ମାମୁ କୃପାସିନ୍ଧୁ ମହାନ୍ତିଙ୍କ ଅଭିଯୋଗ କ୍ରମେ ପ୍ରଶାସନ ପୁଣି ମାଟି ତଳୁ ଖୋଳି ବାହାର କରିଛି। ମିଳିଥିବା ସୂଚନା ଅନୁଯାୟୀ ନଅ ଦିନ ପୂର୍ବରୁ ପରିବାର ଲୋକଙ୍କ ଅଜାଣତରେ ଘର ପାଖ କେଲୁହ ନଦୀରେ ଛୋଟ ପିଲାଟି ବୁଡ଼ି ଗୁରୁତର ହୋଇଥିଲା। ପରିବାର ଲୋକେ ତାକୁ ତୁରନ୍ତ ଧର୍ମଶାଳା ମେଡିକାଲକୁ ନେଇଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଧର୍ମଶାଳା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୧୮/୨୬ ରୁଜୁ କରାଯାଇଥିଲା। କିନ୍ତୁ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ମନା କରିବାରୁ ପୋଲିସ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ଘର ନିକଟ ନଦୀ ପଠାରେ ଶିଶୁଟିକୁ ହିନ୍ଦୁରୀତି ନୀତି ଅନୁଯାୟୀ ସମାଧି ମଧ୍ୟ ଦେଇଥିଲେ । କିନ୍ତୁ ପିଲାର ମାମୁ ଭଣଜାର ନଦୀରେ ବୁଡି ମରିବା କଥାକୁ ସହଜରେ ବିଶାସ କରିପାରି ନଥିଲେ । ଏତେ ଛୋଟ ପିଲା ନଈକୁ କେମିତି ଯାଇପାରିବ ବୋଲି ସନ୍ଦେହ କରିଛନ୍ତି। ବରଂ ତାଙ୍କ ଭଣଜାକୁ କେହି ଗାଡ଼ି ବାଡେଇ ମାରି ନଈରେ ଫିଙ୍ଗିଥିବା ସନ୍ଦେହ କରିଛନ୍ତି । ତେଣୁ ତାଙ୍କ ଅଭିଯୋଗ କ୍ରମେ ପୁନର୍ବାର ଘଟଣାସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଧର୍ମଶାଳା ଆଇଆଇସି ମାଟି ଖୋଳି ମୃତଦେହ ବାହାର କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ମେଡିକାଲକୁ ପଠାଇଛନ୍ତି।