ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ବୁଧବାର ପୋଲିସ ଜବତ କରିଛି। ଉଭୟ ଯୁବକ ଓ ଯୁବତୀ ନିକଟ ଗୌନ୍ତିଆପଡାର ଅମିତ ଜୁଏଡ (୨୨) ଓ ସେହିପଡାର କୁନ୍ତଳା ମୁଲକିଆ(୨୧)। ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ ପରେ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ରାତି ୧୦ଟାରେ ଝିଅ ଘରୁ ବାହାରି ଆଉ ଫେରି ନ ଥିଲେ। ବୁଧବାର ଝିଅର ବାପା ନିଖୋଜ ଥିବା ନେଇ ଆମପାଣି ଥାନାରେ ଏକ ଅଭିଯୋଗ କରିଥିଲେ। ସକାଳୁ ମୃତଦେହ ଜବତ ପରେ ତାହା ନିଖୋଜ ଝିଅର ବୋଲି ଜଣାପଡିଥିଲା। ସେହିପରି ଯୁବକ ମଧ୍ୟ ରାତିରୁ ବହାରି ଘରକୁ ଫେରି ନ ଥିଲେ। ସକାଳୁ ସ୍ଥାନୀୟ କେତେକ ଲୋକେ ଯୁବକ ଓ ଯୁବତୀ ବେକରେ ଓଢ଼ଣି ଲଗାଇ ଗଛରେ ଓହଳି ପଡିଥିବା ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଆମପାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ପ୍ରେମ ଜନିତ ସମ୍ପର୍କ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ନେଇ ଆପମାଣି ଥାନାରେ ୨ଟି ପୃଥକ ମାମଲା (ନଂ. ୧/୨୧ ଏବଂ ୨/୨୧) ରୁଜୁ ହୋଇଥିବା ଏଏସ୍‌ଆଇ ରାମଶଙ୍କର ବାଗ ସୂଚନା ଦେଇଛନ୍ତି।