ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ ରାଜନଗର ଗୋଷ୍ଠୀକେନ୍ଦ୍ରରେ ମୃତଦେହ ପଡ଼ି ରହିଛି ା ମୃତଦେହକୁ ଛାଡ଼ି ଶାଶୁଘର ଓ ବାପଘର ଲୋକେ ଚାଲିଯାଇଛନ୍ତି। ଏହି ଘଟଣାକୁ ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି ା ମଣିଷ ମନରୁ ମାନବିକ ମୂଲ୍ୟବୋଧ କିପରି କମି କମି ଚାଲିଛି ଏହି ଘଟଣା ତାର ଏକ ଉଦାହରଣ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ା
ସୂଚନା ଅନୁଯାୟୀ, ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅମରାବତୀ ଗାଁର ରାଜେଶ ମାଇତିଙ୍କ ସ୍ତ୍ରୀ ସୁବାସିନୀଙ୍କ ଗତ ୯ ତାରିଖ ରାତିରେ ମୃତ୍ୟୁ ଘଟିଥିଲା। ସେଦିନରାତି ପ୍ରାୟ ୧ ଘଟିକା ସମୟରେ ସୁବାସିନୀଙ୍କୁ ସ୍ବାମୀ ଓ ପରିବାର ଲୋକେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚତ୍ବା ପୂର୍ବରୁ ସୁବାସିନୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର କହିଥିଲେ ା ରାଜେଶ ଏକା ମୃତଦେହ ଜଗି ରହିଥିବା ବେଳେ ପରିବାର ଲୋକେ ଛୁ ମାରିଥିଲେ। ବିବାହକୁ ମାତ୍ର ୪ ବର୍ଷ ହୋଇଥିବାରୁ ଏବଂ ସୁବାସିନୀଙ୍କ ମୃତ୍ୟୁ ସନ୍ଦେହଜନକ ଥିବାରୁ ପୋଲିସ ସମ୍ପୃକ୍ତ ମହିଳାଙ୍କ ବାପଘର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ରାଜନଗର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁର ମୃତ ସୁବାସିନୀଙ୍କ ସାନଭାଇ ସୁବାଶିଷ ମଣ୍ଡଳ ୧୦ ତାରିଖ ରାତି ପ୍ରାୟ ୧୦ ଘଟିକା ସମୟରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଭଉଣୀଙ୍କୁ ସ୍ବାମୀ, ଶାଶୁ, ଦିଅର, ଯାଆ ମିଳିତ ଭାବେ ପିଟି ହତ୍ୟା କରିଛନ୍ତି ବୋଲି ଦର୍ଶାଇଥିଲେ। ୨୦୧୯ରେ ସୁବାସିନୀଙ୍କ ବିବାହ ହୋଇଥିଲା ା ତାଙ୍କର ୩ ବର୍ଷର ଶିଶୁପୁତ୍ର ରହିଛି। ସୁବାସିନୀଙ୍କ ବାପଘର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ମୃତଦେହ ବ୍ୟବଚ୍ଛେଦ କରି ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏପଟେ ସୁବାସିନୀଙ୍କ ସ୍ବାମୀ ରାଜେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଯାଇଥିବା ବେଳେ ତାଙ୍କର ଅନ୍ୟ କେହି ସମ୍ପର୍କୀୟ ମୃତଦେହ ନେବାକୁ ଧରାଛୁଆଁ ଦେଇ ନ ଥିଲେ। ଏଥିପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ମୃତଦେହ ଜଗି ରହିଥିଲା ା ଶେଷରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଜେଶଙ୍କ ସହ ଆଳି ଡାକ୍ତରଖାନା ପଠାଇଥିଲା ା ସେଠାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ଶାଶୁଘର ଗାଁର କେତେଜଣ ସମ୍ପର୍କୀୟ ମୃତଦେହ ସକତ୍ାର ପାଇଁ ପହଞ୍ଚତ୍ଥିଲେ। ଏହାପରେ ପୋଲିସ ରାଜେଶଙ୍କୁ ପୁଣି ଥରେ ନିଜ ହେପାଜତକୁ ନେଇଥିଲା ା ଏ ନେଇ ତାଳଚୁଆ ସାମୁଦ୍ରିକ ଥାନାରେ ଏକ ମାମଲା(ନଂ. ୨୭/୨୦୨୩) ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଆଇଆଇସି ଅନାମ ଚରଣ ନାୟକ ସୂଚନା ଦେଇଛନ୍ତି।