ଲୁଣାନଦୀରୁ ଉଦ୍ଧାର ଯୁବତୀ,ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ୍‌/ମାର୍ଶାଘାଇ, ୧୦।୯ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ପଳାସପୁର ନିକଟ ଲୁଣାନଦୀରୁ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରିନାହିଁ। ହେଲେ ଉଭୟଙ୍କ ଘର କଟକ ସହର ମାଲଗୋଦାମ ଥାନା ଅଞ୍ଚଳର ବୋଲି ଥାନାଧିକାରୀ କାଳନ୍ଦୀ ବେହେରା ସୂଚନା ଦେଇଛନ୍ତି। ଯୁବକଙ୍କ ବୟସ ୨୦ ମଧ୍ୟରେ ହୋଇଥିବା ବେଳେ ଯୁବତୀ ଜଣକ ନାବାଳିକା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଥାନା ଅଧିକାରୀ ବେହେରାଙ୍କ ସୂଚନା ଅନୁଯାୟୀ, ଲୁଣାନଦୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳବାହିନୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ମୃତଦେହ ଦ୍ୱୟକୁ ଉଦ୍ଧାର କରିଛନ୍ତି। ଦୁଇ ମୃତଦେହର ହାତ ଓ ଗୋଡ଼ରେ ରସି ବନ୍ଧା ଯାଇଥିବା ଦେଖାଯାଇଛି। ଏ ନେଇ ପୋଲିସ ଅପମୃତ୍ୟୁ ମାମଲା (୧୯/୨୦) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।