ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍ଓଆର୍ ବା ଜମି ପଟ୍ଟା ଅଛି ସେମାନେ ଧାନ ବିକିବା ବ୍ୟବସ୍ଥା ରହିଛି ବୋଲି କୁହାଯାଉଛି। ଏଥିପାଇଁ ଆରମ୍ଭ ହୋଇଥିବା ନୂତନ ପ୍ରକ୍ରିୟାକୁ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ୨୪ଟି ସମବାୟ ସମିତିରେ ଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି। ପିଢ଼ିପିଢ଼ି ଧରି ବାପାଜେଜେଙ୍କ ନାମରେ ଜମି ରହିଛି। ସେମାନଙ୍କ ମୃତ୍ୟୁ ପରେ ଭାଗ ବାଣ୍ଟ ଛିଡ଼ି ନ ଥିବା ବେଳେ ଚାଷ କରୁଥିବା ପୁଅମାନଙ୍କ ପାଇଁ ସମସ୍ୟା ହେଉଛି। ଆଗାମୀ ଦିନରେ ଚାଷୀମାନଙ୍କ ସମସ୍ୟା ସମାଧାନ ନ କଲେ ସରକାରଙ୍କ ପାଇଁ ମହଙ୍ଗା ପଡ଼ିପାରେ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କହିଛନ୍ତି କୃଷକ ମୂଲିଆ ଚାଷୀ ନେତା ଅଙ୍କୁର ପଲେଇ।
ଅପରପକ୍ଷରେ ଚଳିତବର୍ଷ ବନ୍ୟା ପାଇଁ ଉପକୂଳ ଅଞ୍ଚଳ ରାମନଗର, ପେଟଛେଲା, ବରକନ୍ଧା, ବଉଳକଣି, ମଙ୍ଗଳପୁର ପଞ୍ଚାୟତ ଅଞ୍ଚଳରେ ଧାନ ତଳି ଓ ବେଉଷଣ ଫସଲ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି। ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଥରେ ବି ବନ୍ୟା ପ୍ରଭାବିତ ଚାଷ ଜମି ପରିଦର୍ଶନ କରିନାହାନ୍ତି ବୋଲି ବାବାଜି ଦାସ, ଶୁକଦେବ ଦାସ, ହରେକୃଷ୍ଣ ରାଉତ, ସଦାଶିବ ରାଉତ, ପହଲି ସ୍ବାଇଁ, ଦିବାକର ପରିଡ଼ା ପ୍ରମୁଖ ଚାଷୀ କହିଛନ୍ତି। ଏଣୁ ଧାନ ବିକ୍ରି ପାଇଁ ଆବଶ୍ୟକ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।