ଗାଁ ଦାଣ୍ଡରେ ଡଙ୍ଗା ଚାଲିଲା

ଖୋର୍ଦ୍ଧା ଅଫିସ,୨୯ା୮: ଲଘୁଚାପଜନିତ ବର୍ଷା ଓ ହୀରାକୁଦରୁ ଜଳ ନିଷ୍କାସନ ଫଳରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ ରହିଛି। ଏହି ଗ୍ରାମଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଜାର ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି। ଏହି ତିନି ପଞ୍ଚାୟତର ପ୍ରାୟ ୭ଶହରୁ ଊର୍ଦ୍ଧ୍ୱ ପରିବାର, ୩ଶହ ଗୋରୁ ପ୍ରଭାବିତ ହୋଇଛନ୍ତି। ଗୋଟିଏ ଡଙ୍ଗା ଅଚଳ ହୋଇପଡିଥିବା ବେଳେ କୋଭିଡ୍‌ ଗାଇଡ୍‌ଲାଇନ ନିୟମ ଅନୁଯାୟୀ ଅନ୍ୟ ଏକ ଡଙ୍ଗାରେ ଗ୍ରାମବାସୀ ଯାତାୟାତ କରୁଛନ୍ତି।
ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲାପାଳ ସନତ୍‌ କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଉପ ଜିଲାପାଳ ଅଶୋକ ବେହୁରିଆ, ତହସିଲଦାର ପଦ୍ମଚରଣ ସାହୁ ପ୍ରମୁଖ ଡଙ୍ଗାରେ ହିରିମୂଳ ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ଜିଲାପାଳ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଖବରପାଇ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଜିଲାପାଳଙ୍କୁ ବନ୍ୟା ସ୍ଥିତି ସମ୍ପର୍କରେ ଜଣାଇବା ସହ ଖାଦ୍ୟ, ସାମଗ୍ରୀ ଯୋଗାଇଦେବା ଲାଗି ଦାବି କରିଥିଲେ। ପାଣି ଜମି ରହିଥିବାରୁ ଗୋରୁଙ୍କ ଖାଦ୍ୟ ଅଭାବ ଦେଖାଦେଇଛି। ଗୋ’ ଖାଦ୍ୟ ଯୋଗାଇଦେବା ଲାଗି ମଧ୍ୟ ଦାବି ହୋଇଛି। ପ୍ରତିବର୍ଷ ବର୍ଷାଦିନେ ହୀରାକୁଦର ଡ୍ରାଉନ ୱାଟର ଗେଟ ଖୋଲିଲେ ମହାନଦୀ ଜଳ ରାଜୁଆ ନଦୀରେ ପଶିବା ଦ୍ୱାରା ଏହି ଗ୍ରାମ ଗୁଡିକ କୁତ୍ରିମ ହ୍ରଦ, ନଈ ସୃଷ୍ଟି ହେଉଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଏକ ବନ୍ଧ ନିର୍ମାଣ ଲାଗି ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପ୍ରତି ଗୁରୁତ୍ୱ ଦିଆଯିବ ସହ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ ମହାନ୍ତି କହିଛନ୍ତି। ଅନ୍ୟପଟେ ରାତିରେ ଅଧିକ ବନ୍ୟାଜଳ ଗ୍ରାମରେ ପ୍ରବେଶ କଲେ ଗ୍ରାମବାସୀଙ୍କୁ ବାତ୍ୟା ଅଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ ବୋଲି ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି।