Categories: ଜାତୀୟ

ଭାଜପା ଏମ୍‌ପିଙ୍କ ମୁଣ୍ଡରେ ସ୍ବତନ୍ତ୍ର ଟୋପି

ନୂଆଦିଲ୍ଲୀ,୫।୪: ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବହୁ ଭାଜପା ଏମ୍‌ପି ମୁଣ୍ଡରେ ସାଫ୍ରନ ରଙ୍ଗର ଏକ ଟୋପି ପିନ୍ଧିଥିବାର ନଜର ଆସିଥିଲେ। ଟୋପି, ଏକ କିଟ ଏବଂ ଚକୋଲେଟ ଏବେ ଭାଜପା ଏମ୍‌ପିଙ୍କୁ ପ୍ରଦାନ କରାଯାଉଛି। ଗୁଜରାଟର ଅହମ୍ମଦାବାଦରେ ଏକ ରୋଡ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଟୋପି ପିନ୍ଧିଥିଲେ। ସୂଚନା ଅନୁଯାୟୀ, ଗୁଜରାଟରେ ଏହି ଟୋପି ତିଆରି କରାଯାଇଛି। ଭାଜପା ନେତାମାନେ ଏହି ଟୋପିକୁ ବହୁତ ପସନ୍ଦ କରିଛନ୍ତି।
ଏପ୍ରିଲ ୬ ଭାଜପା ସ୍ଥାପନା ଦିବସ ପୂର୍ବରୁ ମୋଦି ଦଳୀୟ ଏମ୍‌ପିମାନଙ୍କୁ ସମ୍ବୋଧିତ କରିଛନ୍ତି। ସ୍ଥାପନା ଦିବସ ଅବସରରେ ଏମ୍‌ପିମାନେ ପ୍ରତିଦିନ ନିଜ ନିଜ ନିର୍ବାଚନମଣ୍ଡଳୀରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତ୍ୟେକ ଲୋକଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାକୁ କହିଥିଲେ। ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏହି ବୈଠକରେ ମୋଦି ଏମ୍‌ପିମାନଙ୍କୁ ନିଜ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀରେ ଅଧିକରୁ ଅଧିକ ପୋଖରୀ ଖୋଳିବାକୁ କହିଛନ୍ତି। ଏହି ବୈକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ସଭାପତି ଜେପି ନଡ୍ଡା ଏବଂ ବହୁ ବରିଷ୍ଠ ନେତା ତଥା ଦଳର ଏମ୍‌ପି ଉପସ୍ଥିତ ଥିଲେ।

Share