Categories: ଜାତୀୟ

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ପାଣାଜୀ,୧୦।୧: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ବିଧାୟକ ମାଇକେଲ ଲୋବୋ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ପଦ ସହିତ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଲୋବୋ ଅଭିଯୋଗ କରିଛନ୍ତି, ଭାଜପା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଉତ୍ତରାଧିକାରୀ ଭୁଲି ଯାଇଛି ଏବଂ ତାଙ୍କ ସମର୍ଥକମାନେ ହତାଦର କରାଯାଉଛି। ଇସ୍ତଫା ଦେବା ପରେ ଲୋବୋ ଆଶା ପ୍ରକଟ କରିଛନ୍ତି ଯେ ଗୋଆର କାଲାଙ୍ଗଟ ନିର୍ବାଚନମଣ୍ଡଳୀର ଲୋକମାନେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରିବେ। ପରବର୍ତ୍ତୀ ପଦକ୍ଷେପ ଉପରେ ଶୀଘ୍ର ନିଷ୍ପତ୍ତି ନେବେ। ମୁଁ ଅନ୍ୟ ଦଳ ସହ ଆଲୋଚନା କରୁଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଦଳର କାର୍ଯ୍ୟକାରିତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ସେ ତାଙ୍କ ନିଷ୍ପତ୍ତି ପାଇଁ କେନ୍ଦ୍ର କିମ୍ବା ରାଜ୍ୟର ନେତାଙ୍କୁ ଦାୟୀ କରିନାହାଁନ୍ତି। ମୋର ଯେଉଁଭଳି ବ୍ୟବହାର କରାଯାଉଛି ତାହା ମୋତେ ବିବ୍ରତ କରିଛି ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରର କର୍ମୀମାନଙ୍କୁ ଅଣଦେଖା କରାଯାଇଛି। ମୁଁ ନିଜ ଆଖିରେ ଦେଖିଛି, କାନରେ ଶୁଣିଛି। ଦଳ ଏତେ ବଡ ହୋଇଛି ଯେ ତୃଣମୂଳ ସ୍ତରର କର୍ମୀଙ୍କ ଅବଦାନକୁ ସେ ଆଉ ପ୍ରଶଂସା କରୁନାହାଁନ୍ତି। ଅନେକ ଲୋକ ଅଭିଯୋଗ କରିବାକୁ ମୋ ପାଖକୁ ଆସିଥିବା ସେ କହିଛନ୍ତି।

Share