Categories: ଜାତୀୟ

୪ ଏମ୍‌ପିଙ୍କୁ ପ୍ରାର୍ଥୀ କଲା ଭାଜପା

କୋଲକାତା,୧୪।୩: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କ ସମେତ ୩ ଜଣ ଲୋକ ସଭା ସଦସ୍ୟ ଏବଂ ଜଣେ ରାଜ୍ୟ ସଭା ଏମ୍‌ପିଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ଏମ୍‌ପିମାନେ ହେଲେ ଲକେଟ ଚାଟାର୍ଜୀ, ନୀତୀଶ ପ୍ରାମାଣିକ ଏବଂ ସ୍ବପନ ଦାସଗୁପ୍ତା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ହେବାକୁ ଯାଉଥିବା ଜୋର୍‌ଦାର ଲଢ଼େଇରେ ଭାଜପା କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ତେବେ ନିର୍ବାଚନ ଲଢ଼ିବା ପାଇଁ ଭାଜପାରେ ସାମର୍ଥ୍ୟର ଅଭାବ ଥିତ୍ବା ୪ ଜଣ ଏମ୍‌ପିଙ୍କୁ ପ୍ରାର୍ଥୀ କରିବାରୁ ସ୍ପଷ୍ଟ ହେଉଛି ବୋଲି ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି।
ବାବୁଲ୍‌ ସୁପ୍ରିୟୋ ଗାୟକରୁ ରାଜନେତା ହେବା ସହ କେନ୍ଦ୍ରରେ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେ କୋଲକାତାର ଟଲିଗଞ୍ଜରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅଭିନେତାରୁ ରାଜନେତା ହୋଇଥିବା ଲକେଟ ହୁଗ୍‌ଲି ଜିଲାର ଚିନସୁରାରୁ ଏବଂ ସ୍ବପନ ଦାସଗୁପ୍ତା ତାରକେଶ୍ୱର ଆସନରୁ ଲଢ଼ିବେ। ସେହିପରି ନୀତୀଶ ପ୍ରାମାଣିକଙ୍କୁ କୁଚ୍‌ବିହାରର ଦିନ୍‌ହାଟରୁ ପ୍ରାର୍ଥୀ କରାଯାଇଛି। ଭାଜପା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୭ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ୩୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Share