Categories: ଜାତୀୟ

ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁଙ୍କୁ ଟିକେଟ ଦେଲା ଭାଜପା

କୋଲକାତା,୬।୩: ପଶ୍ଚିମବଙ୍ଗ ବିଧାନସଭାର ୨ଟି ପର୍ଯ୍ୟାୟ ର୍ନିବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୧ରେ ହେବାକୁ ଥିବା ପ୍ରଥମ ୨ଟି ପର୍ଯ୍ୟାୟ ର୍ନିବାଚନରେ ଭାଜପାର ୫୭ ପ୍ରାର୍ଥୀ ଲଢେଇ କରିବେ। ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ର୍ନିବାଚନ ପ୍ରକ୍ରିୟା ୮ଟି ପର୍ଯ୍ୟାୟରେ କରାଯିବ। ଶେଷ ପର୍ଯ୍ୟାୟ ଏପ୍ରିଲ ୨୯ରେ ହେବ। ମେ’ ୨ରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲାର ୩୦ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଜିଲାର ୩୦ଟି ଆସନ ପାଇଁ ର୍ନିବାଚନ ହେବ। ଭାଜପା ୬୦ ଆସନରୁ ୫୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏନେଇ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିର ଅନୁମୋଦନ କ୍ରମେ ପ୍ରଥମ ୨ଟି ପର୍ଯ୍ୟାୟ ର୍ନିବାଚନ ପାଇଁ ୫୭ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ନନ୍ଦିଗ୍ରାମ ପାଇଁ ଭାଜପା ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ ଦେଇଛି। ଏଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଶୁଭେନ୍ଦୁଙ୍କ ଲଢେଇ ହେବ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମ୍‌ସି ଟିକେଟରେ ଜିତି ଆସୁଥିଲେ। ତେବେ ଗତ ଡିସେମ୍ବରରେ ସେ ଟିଏମ୍‌ସି ଛାଡି ଭାଜପା ହାତ ଧରିଥିଲେ। ଶୁଭେନ୍ଦୁଙ୍କୁ ଟକ୍କର ଦେବାକୁ ଟିଏମ୍‌ସି ସୁପ୍ରିମୋ ମମତା ତାଙ୍କ ପାରମ୍ପରିକ ଆସନ ଭବାନୀପୁର ବଦଳରେ ନନ୍ଦିଗ୍ରାମରେ ଲଢେଇ କରିବେ ବୋଲି ଘୋଷଣା କରିଥିଲେ। ଶୁକ୍ରବାର ଟିଏମ୍‌ସି ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ମମତା ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ହୋଇଛି।

Share