ଆରମ୍ଭ ହେଲା ଭାଜପା, ବିଜେଡି ପକ୍କାଘର ଲଢ଼େଇ

ଭୁବନେଶ୍ୱର, ୬।୭(ବ୍ୟୁରୋ): ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇଦେବା ଲକ୍ଷ୍ୟନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଠି ପାତରଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀଙ୍କୁ ପକ୍କାଘର ଯୋଗାଇ ଚାଲିଛନ୍ତି। ଏଥିରେ ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ଭାଜପା ଲଢ଼େଇ ଜାରି ରଖିବ ବୋଲି ଦଳ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ସମ୍ପର୍କରେ ଭାଜପା ପଦାଧିକାରୀ ଏବଂ ବିଧାୟକମାନେ ଓଡ଼ିଶାର ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏମ୍‌ପିମାନେ ବିଭାଗୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସ୍ମାରକପତ୍ର ଦେବା ସହ ଏ ନେଇ ଆଲୋଚନା କରିଥିଲେ। କିଛିଦିନ ତଳେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ୫ଟି ଜିଲାର ୯ ବ୍ଲକର ସମୀକ୍ଷା କରିବା ସମୟରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ତେବେ ଆବାସ ଯୋଜନାରେ ପାଖାପାଖି ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଆସନ୍ତା ୭,୮ ଓ ୯ ତାରିଖରେ ରାଜ୍ୟର ସବୁ ବ୍ଲକ ସାମ୍ନାରେ ଭାଜପା ପକ୍ଷରୁ ପ୍ରତିବାଦ କରାଯିବ ବୋଲି ସମୀର କହିଛନ୍ତି।
ଭାଜପାକୁ ସମାଲୋଚନାକରି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଓଡ଼ିଶାରେ ହତାଶ ହୋଇପଡ଼ିଥିବା ଭାଜପା କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ତାଙ୍କ ସଭାପତି ବହୁ କଷ୍ଟ କରୁଛନ୍ତି। ବର୍ତ୍ତମାନ ହତୋତ୍ସାହିତ କର୍ମୀଙ୍କୁ ଉସତ୍ାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ କରୁଛନ୍ତି। ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରୁଥିବା ବେଳେ ଅନ୍ୟପଟେ ସମୀର ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ସଫଳ କାର୍ଯ୍ୟକୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି।