ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଆଦୌ ଛୋଟ ଘଟଣା ନୁହେଁ। ନାରୀ ହିଂସା, ନିର୍ଯାତନା, ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ସାମାଜିକ ପ୍ରସଙ୍ଗରେ ବିରୋଧୀ ଦଳ ତଥା ସାଧାରଣ ଜନତା ପ୍ରଶ୍ନ କଲେ ଶାସକ ବିଜେଡିର ନେତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇଦେବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ବୋଲି ଭାରତୀୟ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅପରାଜିତା କହିଛନ୍ତି, ବିଭିନ୍ନ ଗଣମାଧ୍ୟମ ଓ ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ସନସାଇନ ସ୍କୁଲର ମୁଖ୍ୟ ସଞ୍ଚାଳକ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଛି। ବିଜେଡିର ନେତ୍ରୀମାନେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅତ୍ୟନ୍ତ ଲଜ୍ଜାଜନକ। ରାଜ୍ୟରେ ଘଟିଯାଉଥିବା ଅଧିକାଂଶ ମହିଳା ହିଂସା, ନିର୍ଯାତନା ଓ ହତ୍ୟାକାଣ୍ଡରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ସମ୍ପୃକ୍ତିକୁ ବିଜେଡି ନେତ୍ରୀମାନେ ସୁରକ୍ଷା ଦେଇଆସୁଥିବାର ଅତୀତରେ ଘଟିଯାଇଥିବା ଘଟଣାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି। ଅନ୍ୟକୁ ପରାମର୍ଶ ନ ଦେଇ ଶାସକ ଦଳର ନେତ୍ରୀମାନେ ରାଜ୍ୟର ମା’ ଓ ଭଉଣୀଙ୍କ ସ୍ବାର୍ଥ ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଅପରାଜିତା ପରାମର୍ଶ ଦେଇଛନ୍ତି।