ରୋଗ ନିରୂପଣ କରିବ ବେଞ୍ଚ

ଗୋଟିଏ ବେଞ୍ଚ ଦ୍ୱାରା କ’ଣ ରୋଗ ନିରୂପଣ କରାଯାଇପାରିବ। ଏ କଥାକୁ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ସେପରି ଏକ ନୂଆ ଉପାୟରେ ରୋଗ ସମ୍ପର୍କରେ ଜାଣିହେବ ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏପରି ଏକ ମ୍ୟାଜିକ୍‌ ବେଞ୍ଚ ତିଆରି କରିଛନ୍ତି। ଜଣେ ବ୍ୟକ୍ତି ଏହା ଉପରେ ବସିଲେ ତାଙ୍କ ଶାରୀରିକ ସମସ୍ୟା ବିଷୟରେ କେତେକ ତଥ୍ୟ ସହଜରେ ଜାଣିହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉକ୍ତ ବେଞ୍ଚରେ ଏକ ଉଚ୍ଚ ଶକ୍ତିସମ୍ପନ୍ନ ସେନ୍‌ସର ଏବଂ କ୍ୟାମେରା ସହ ଏଗୁଡ଼ିକୁ ଏକ ମନିଟର ସହ ସଂଯୋଗ କରାଯାଇଛି। ବ୍ୟକ୍ତି ଜଣକ ତା’ ଉପରେ ବସିବା ପରେ ସେନ୍‌ସର ଦ୍ୱାରା ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ବିଷୟରେ ମନିଟରରେ ଲିପିବଦ୍ଧ ହୋଇଯାଏ ଏବଂ କ୍ୟାମେରା ସଂପୃକ୍ତ ସ୍ଥାନର ଫଟୋ ଉତ୍ତୋଳନ କରିଥାଏ। ଏପରି ବେଞ୍ଚରୁ ପରୀକ୍ଷାମୂଳକ ଭାବରେ ସଫଳତା ମିଳିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।