ଭିକାରୀ ବେଶଧରି ଚୋରି କରୁଥିଲେ

କାଲିମେଳା,୨୧।୪(ଡି.ଏନ.ଏ.): ମାଲାକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। କାଲିମେଳା ସଦର ଅଞ୍ଚଳରେ ଜଣଙ୍କ ଘରୁ ଚୋରି ମାମଲାର ତଦନ୍ତବେଳେ ପୋଲିସ ତଦନ୍ତ କରି ଚୋର ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ନବରଙ୍ଗପୁର ଜିଲା ହିଡିଲିଡଙ୍ଗରି ଅଞ୍ଚଳର ମହମ୍ମଦ ଇର୍‌ମାନ, ଶିବ ଗୌଡ଼, ମମତା ଗୌଡ଼ ଓ ମନୀଷା ଦେଗମ୍‌। ତେବେ ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରିରେ ଏମାନଙ୍କ ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, କାଲିମେଳା ସଦରସ୍ଥିତ ପୁରୁଣା ମେଡିକାଲ କଲୋନିରେ ରହୁଥିବା ରାଜେନ୍ଦ୍ର ଭୂୟାଁଙ୍କ ଘରୁ ଗତ ୧୬ ତାରିଖରେ ଚୋରି ହୋଇଥିବା ନେଇ ତାଙ୍କ ଝିଅ ରୀନା ୧୮ ରେ ଥାନାରେ ଅଭିଯୋଗ କରିଥିଲେ। ଭିକ ମାଗିବା ବାହାନାରେ ଘରକୁ ଯାଇଥିବାବେଳେ କେହି ନ ଥିବାର ସୁଯୋଗ ନେଇ ଚୋର ଗ୍ୟାଙ୍ଗ ଘରେ ପଶି କଳାକନା ବୁଲାଇଥିଲେ। ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଘୁନାଥ ମାଝି ସୂଚନା ଦେଇଛନ୍ତି l ଚୋରି ହୋଇଥିବା ସମାଗ୍ରୀ ଗୁଡିକ ମଧ୍ୟ ସେମାନଙ୍କ ଠାରୁ ଉଦ୍ଧାର କରାଯାଇଛି l ଏହି ଗୋଷ୍ଠୀ ଚୋରି ଉଦ୍ଦେଶ୍ୟରେ କାଲିମେଳା ଅଞ୍ଚଳକୁ ଆସି ଛଦ୍ମ ବେଶରେ ଭିକ ମାଗିବା ବାହାନାରେ ଘରକୁ ଘର ଯାଉଥିଲେ। ତାଲା ପଡ଼ିଥିବା ଘର ଦେଖି ଚୋରି କରୁଥିଲେ। ଅଭିଯୁକ୍ତମାନେ ଏହାକୁ ସ୍ବୀକାର କରୁଥିବା ପୋଲିସ କହିଛି। ତେବେ ପୂର୍ବରୁ ହୋଇଥିବା ଚୋରି ମାମଲାଗୁଡ଼ିକରେ ଏମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।