ସମ୍ଭାବ୍ୟ ବାତ୍ୟା ନେଇ ସମୁଦ୍ରକୂଳିଆ ଲୋକେ ଭୟଭୀତ

ଗଞ୍ଜାମ,୧୨ା୧୦(ଡି.ଏନ୍‌.ଏ.): ଫାଇଲିନକୁ ପୂରିଛି ଆଠ ବର୍ଷ। ଏହିପରି ପ୍ରତ୍ୟେକ ବର୍ଷ ଅକ୍ଟୋବରରେ କିଛି ନା କିଛି ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଧନ ସମ୍ପତ୍ତି ନଷ୍ଟ ହେଉଛି। ପୂର୍ବ ବାତ୍ୟାର କ୍ଷୟକ୍ଷତି ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ପୁଣି ଆଉ ଏକ ବାତ୍ୟା ଭୟ। ଆସନ୍ତା ୩ରୁ ୪ଦିନ ପ୍ରବଳରୁ ଅତି ପ୍ରବଳ ପବନ ବୋହିବା ସାଙ୍ଗକୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଗୃହପାଳିତ ପଶୁଙ୍କୁ ବାହାରକୁ ନ ଛାଡ଼ିବା ଲାଗି ନିର୍ଦ୍ଦେଶନାମା ଜାରି କରିଛି ଜିଲା ପ୍ରଶାସନ। ଏଥିସହିତ ସମୁଦ୍ର କୁଳ ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଲୋକଙ୍କୁ ସମୁଦ୍ର ନ ଯିବାକୁ କଟକଣା ମଧ୍ୟ ରହିଛି । ଗଞ୍ଜାମ ବ୍ଲକ ପୋଡ଼ମପେଟା, ନିଉ ପୋଡ଼ମପେଟା, ଗୋଖର କୁଦା, କଣ୍ଟିଆଗଡ଼ ପୁରୁଣାବନ୍ଧ ଆଦି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳବାସୀ ପାଣିପାଗଠାରୁ ସୂଚନା ପାଇବା ପରେ ଏକ ପ୍ରକାର ଭୟଭୀତ ହୋଇପଡ଼ିଛନ୍ତି। ଯଦି ଅଧିକ ପବନ ବହେ ତାହାଲେ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଚାଷ ଜମିରୁ ଧାନ ଗଛ ତଳେ ପଡ଼ି ନଷ୍ଟ ହେବ ବୋଲି ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ କହିଛନ୍ତି। ଅନ୍ୟ ପଟେ ସାମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ସଜାଗ ଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।