ଲକ୍ଷାଧିକ ଟଙ୍କା ହେରଫେର ଗନ୍ଧ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗିଲେ ବିଡିଓ

ପାଟଣା,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଜେନାଙ୍କ ପଞ୍ଚାୟତ କାର୍ଯ୍ୟାଳୟ ତାଲାକୁ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଡିଓ ଭାଙ୍ଗିଦେଇଛନ୍ତି।
ମିଳିଥିବା ସୁଚନା ଅନୁଯାୟୀ, ବାଉଁଶୁଳି ପଞ୍ଚାୟତ ପିଇଓ ଜେନା ଏସ୍‌ଏଫ୍‌ସି ଓ ସିଏଫ୍‌ ସି ପାଣ୍ଠିର ଦୁରୁପଯୋଗ କରିଥିବାର ଘଟଣା ୪ /୬ ଦିନ ତଳେ ଲୋକାଲ ଫଣ୍ଡ ଅଡିଟର ଜାଣିବାକୁ ପାଇଥିଲେ। ପିଇଓ ପଞ୍ଚାୟତକୁ ଆସିଥିବା ଲକ୍ଷାଧିକ ସରକାରୀ ଟଙ୍କା ଅର୍ଥକୁ ଚଞ୍ଚକତା କରି ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଇ ଦୀର୍ଘଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁ ନଥିବାରୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟବନ୍ଦ ହେବା ସହ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ଅପରାହ୍ନରେ ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ତାଙ୍କ କାର୍ଯ୍ୟାଳୟ ଖୋଲି ଗଡରେଜ୍‌ର ଭାଙ୍ଗି ଜରୁରୀ କାଗଜପତ୍ର ଜବତ କରାଯାଇଛି। ପିଇଓଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ଓ ଦସ୍ତାବିଜ ଜବତ ସମୟରେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲା।