Hong Kong Sixes 2026ରୁ ମିଳିଥିବା ସମସ୍ତ ଆୟକୁ ଏହି ସଂସ୍ଥାକୁ ଦାନ କରିଛି BCCI; ସମ୍ପାଦକ ଦେବଜିତ ସାଇକିଆ କହିଲେ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରୁ ମିଳିଥିବା ଆୟକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ଏହି ଅର୍ଥରାଶିକୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ କ୍ରିକେଟ କାର୍ଯ୍ୟକଳାପରେ ନିୟୋଜିତ ତିନୋଟି ସଂସ୍ଥାକୁ ପ୍ରଦାନ କରିଛି; ଯେଉଁଥିରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ କ୍ରିକେଟ ପରିଚାଳନା କରୁଥିବା ସଂସ୍ଥା ମଧ୍ୟ ଅନ୍ତର୍ଭୁକ୍ତ। BCCI ସମ୍ପାଦକ ଦେବଜିତ ସାଇକିଆ ଏହି ଘୋଷଣା କରି କହିଛନ୍ତି ଯେ, ବୋର୍ଡର ଲକ୍ଷ୍ୟ କେବଳ କ୍ରିକେଟର ପ୍ରଚାର ପ୍ରସାର କରିବା ନୁହେଁ, ବରଂ ଏକ ସମାବେଶୀ ପରିବେଶ ସୃଷ୍ଟି କରିବା ଯାହା ଖେଳ ମାଧ୍ୟମରେ ସମସ୍ତଙ୍କୁ ଏକତ୍ରିତ କରିପାରିବ।
BCCI ଠାରୁ ସହାୟତା ପାଇଥିବା ଦିବ୍ୟାଙ୍ଗ କ୍ରିକେଟରଙ୍କ ପାଇଁ କାର୍ଯ୍ୟରତ ତିନୋଟି ସଂସ୍ଥା ହେଲା – ‘ହ୍ବିଲଚେୟାର କ୍ରିକେଟ ଇଣ୍ଡିଆ ଆସୋସିଏସନ’, ‘କ୍ରିକେଟ ଆସୋସିଏସନ ଫର୍‌ ଦ ବ୍ଲାଇଣ୍ଡ ଇନ ଇଣ୍ଡିଆ’ ଏବଂ ‘ଇଣ୍ଡିଆନ ଡେଫ କ୍ରିକେଟ ଆସୋସିଏସନ’। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ କ୍ରିକେଟକୁ ଆହୁରି ଆଗକୁ ବଢ଼ାଇବା ଲକ୍ଷ୍ୟ ନେଇ BCCI ଏହି ସହାୟତା ପ୍ରଦାନ କରିଛି।
BCCI ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, କେବଳ କ୍ରିକେଟର ପ୍ରଚାର-ପ୍ରସାର କରିବା ଠାରୁ ବୋର୍ଡର ଦାୟିତ୍ୱ ଆହୁରି ବ୍ୟାପକ ବୋଲି ସେମାନେ ବିଶ୍ୱାସ କରନ୍ତି। ସେ କହିଲେ, ‘ଆମର ଲକ୍ଷ୍ୟ ହେଉଛି ଏହି ଖେଳକୁ ଅଧିକ ଅନ୍ତର୍ଭୁକ୍ତିମୂଳକ କରିବା। ଏହି ପଦକ୍ଷେପ ଦ୍ୱାରା ଭିନ୍ନକ୍ଷମ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ଏବଂ ବିଭିନ୍ନ ସ୍ତରରେ କ୍ରିକେଟର ବିକାଶରେ ସହାୟକ ହେବ।’
‘କ୍ରିକେଟ ହଂକଂ, ଚାଇନା’ (Cricket Hong Kong, China) ଏକ୍ସ (X) ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇ କହିଛି, ‘କ୍ରିକେଟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। BCCI ‘ହଂକଂ ସିକ୍ସେସ ୨୦୨୬’ (Hong Kong Sixes 2026) ପାଇଁ ନିର୍ଦ୍ଧାରିତ ଅଂଶଗ୍ରହଣ ଶୁଳ୍କକୁ ତିନୋଟି ସ୍ବେଚ୍ଛାସେବୀ ସଂସ୍ଥାକୁ ଦାନ କରୁଛି। ସେଗୁଡ଼ିକ ହେଲା ‘ହ୍ବିଲଚେୟାର କ୍ରିକେଟ ଇଣ୍ଡିଆ ଆସୋସିଏସନ’, ‘କ୍ରିକେଟ ଆସୋସିଏସନ ଫର୍‌ ଦ ବ୍ଲାଇଣ୍ଡ ଇନ ଇଣ୍ଡିଆ’ ଏବଂ ’ଇଣ୍ଡିଆନ ଡେଫ କ୍ରିକେଟ ଆସୋସିଏସନ’। ଏହା କ୍ରିକେଟକୁ ସମସ୍ତଙ୍କ ପାଇଁ ଅଧିକ ସୁଲଭ କରିବାରେ ସାହାଯ୍ୟ କରିବ।’
‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩୦ ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମୋଟ ୧୨ଟି ଆନ୍ତର୍ଜାତୀୟ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ଆଫଗାନିସ୍ତାନ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲା। କ୍ରିକେଟ ହଂକଂ, ଆଇସିସି (ICC) ଅଧ୍ୟକ୍ଷ ଜୟ ଶାହା ଏବଂ ବିସିସିଆଇ (BCCI) କୁ କୃତଜ୍ଞତା ଜଣାଇଛି; କାରଣ ସେମାନେ ଏହି କ୍ରୀଡ଼ାର ବିକାଶରେ ସହଯୋଗ କରିବା ସହ କ୍ରିକେଟ କ୍ଷେତ୍ରରେ ଏକ ଅନ୍ତର୍ଭୁକ୍ତମୂଳକ (inclusive) ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିଛନ୍ତି।

Dharitri – Odisha’s No.1, Most Trusted Odia Daily

Share