ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷର ଧନୁଯାତ୍ରା ମହୋତ୍ସବ ସରିଥିଲା। ଏହି ଦୃଶ୍ୟାଭିନୟ ଦେଖିବା ପାଇଁ ମଥୁରାନଗରୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ। ଭ୍ରମଣ ସାରି କଂସ ମହାରାଜ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜ ଦରବାରକୁ ପହଞ୍ଚି ଥିଲେ। ସେଠାରେ ଶ୍ରୀକୃଷ୍ଣ, ବଲରାମଙ୍କୁ ହତ୍ୟା କରିବା ପାଇଁ ସେନାପତି,ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ, ସାମନ୍ତଙ୍କ ସହିତ ସେ ରଣକୌଶଳ କରିଥିଲେ।
ଶ୍ରୀକୃଷ୍ଣ, ବଲରାମ ମଥୁରା ଭ୍ରମଣ କରିଥିଲେ। ଘରେଘରେ ମଥୁରାବାସୀ ବେନିଭାଇଙ୍କୁ ପୂଜାର୍ଚ୍ଚନା କରିଥିଲେ। ଦୋଳିରେ ବସାଇ ବେନିଭାଇଙ୍କୁ ମଥୁରାବାସୀ ଝୁଲାଇଥିଲେ ଏବଂ ଏହି ଦୃ୍ଯଯାଭିନୟ ଚିତ୍ତାକର୍ଷକ ହୋଇଥିଲା। ପରେ ହାଟପଦାସ୍ଥିତ ଦରବାରକୁ ଯାଇ ଶ୍ରୀକୃଷ୍ଣ ଶିବଧନୁ ଭଙ୍ଗ କରିଥିଲେ। ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା। ପରେ ଶ୍ରୀକୃଷ୍ଣ, ବଲରାମ ଲୋକ ମଣ୍ଡପ ପଡ଼ିଆସ୍ଥିତ ରାଜ ଦରବାରକୁ ଆସିଥିଲେ। ଶ୍ରୀକୃଷ୍ଣ, ବଲରାମଙ୍କୁ ହତ୍ୟା କରିବା ପାଇଁ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସଙ୍କ ପାତ୍ରମନ୍ତ୍ରୀ, ସେନାପତି ନିଜ ପରାକ୍ରମ ଦେଖାଇଥିଲେ। କଂସ ମହାରାଜ ମଧ୍ୟ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ୱେ ରଣାଙ୍ଗନକୁ ଓହ୍ଲାଇ ଥିଲେ। କିନ୍ତୁ ବେନିଭାଇଙ୍କ ହାତରେ ତାଙ୍କର ନିଧନ ହୋଇଥିଲା। ଏହାପରେ ରାଜା ଉଗ୍ରସେନଙ୍କ ପୁଣି ରାଜାଭିଷେକ ହୋଇଥିଲା। ଶ୍ରୀକୃଷ୍ଣ, ବଲରାମ କାରାଗାରକୁ ଯାଇ ସେଠାରେ ବନ୍ଦୀଥିବା ଦେବକୀ, ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡ଼ୁ ବାଣ୍ଟି ଖୁସି ମନାଇଥିଲେ। ଶେଷରେ କଂସ ଅଭିନେତା ସୁଶିଲ ମେହେର ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ରବିବାର ସକାଳେ ମହୋଦଧିରେ ସେ ସ୍ନାନ ସହିତ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପାତ୍ରମନ୍ତ୍ରୀ, ସେନାପତି ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ନୃସିଂହନାଥକୁ ଯାଇ ଗୋକୁଣ୍ଡ ଘାଟରେ ସ୍ନାନ କରି ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି।
ଅନ୍ତିମ ଦିବସରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲାପାଳ ଆଦତ୍ୟ ଗୋୟଲ, ଏସପି ପି.ଏସ୍ ମୀନା ପ୍ରମୁଖ ରାଜ ଦରବାରରେ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


